ମତେ କିଏ ଡାକେ
ମତେ କିଏ ଡାକେ
ମତେ କିଏ ଇସାରାରେ ଡାକେ
ବର୍ଣ୍ଣ-ବିଭା କାନ୍ତି ନେଇ
ସୁରଭି ବିତରି ଦେଇ
ଲୋହିତ ପଲ୍ଲବ ଛୁଇଁ
ଅପୂର୍ବ ତା ଭାଷାର ଇଙ୍ଗିତେ
ସେଇତ ମୋ ଗାଁ
ଟାଣିନିଏ ତାର ମାଟି ମାୟା ।
ମତେ କିଏ ଇସାରାରେ ଡାକେ
ପଣସ,ରସାଳ ତରୁ ନାରିକେଳ ଫାଙ୍କୁ
ସୂରୁଜର ଛିଟା ଆଲୋକରେ
ଜହ୍ନ ଖେଳେ ଗାଁ ଦାଣ୍ଡେ
ଲୁଚୁକାଳି ଛାଇ ଆଲୁଅରେ
ଅପୂର୍ବ ତା ଭିଜାମାଟି ବାସ୍ନା
ସେଇତ ମୋ ଗାଁ ।
ପ୍ରଥମ କିଶୋରୀ ତନୁ
ତା ଦେହର ଛୁଆଁ
ସଞ୍ଜ ଓ ସକାଳ ତାର
ଶାନ୍ତିକୁ ଆଦରି
ସତେ ଅବା ଧ୍ୟାନରତ
ଯୋଗୀଟିଏ ପରି ।
ମତେ କିଏ ଇସାରାରେ ଡାକେ
ପେନ୍ଥା ପେନ୍ଥା ହଳଦୀଆ
ଫୁଲେ ସୁନିଆରୀ
କନିଆଁ ବାସରେ
ସଜବାଜ ମୋ ଗାଁ କୁଆଁରୀ ।
ଚଉପାଶ ସବୁଜିମା
ଧାନକ୍ଷେତ,ଫସଲ କିଆରୀ
ସେହି ମୋର ଗାଁ
ସତେକି ପାଶୋରି ହେବ
ତା'ର ସୁଖସୀମା ।
ମତେ କିଏ ଇସାରାରେ ଡାକେ
ସହରଠୁଁ ଗାଁ ବାସେ
ପରବ ପୁନିଅଁ
କେତେ ପ୍ରଥା, ପରମ୍ପରା ରଖିଛି ସେ
ଚାଳଘର,ମାଟିକାନ୍ଥ, ଗୋବର ଲିପାରେ ।
ଏକମନ,ଏକପ୍ରାଣ,ତେଜି ଅଭିମାନ
ପାଳନ୍ତି ସେ
ଜାତି-ବର୍ଣ୍ଣ ଧର୍ମ ନିର୍ବିଶେଷରେ
ସେହିତ ମୋ ଗାଁ
ମୋର ରକ୍ତ ପ୍ରବାହିତ ତା'ର ଛୋଟ ନାଁ ।
