ମରୁତ ହେ
ମରୁତ ହେ
ଚୋରି ଚୋରି
ଚୋରା ଚଇତର ଅଞ୍ଚଳ ଧରି
ଆସ ଯେବେ ତୁମେ ଥିରେ
ସୁରଭି ତ
ତୁମ ସଉଷ୍ଠବ ଶରୀର ସହିତ
ଭାସି ଆସେ ଧୀରେ ଧୀରେ
କେତେ କେତେ
ମଧୁର ପ୍ରସୁନକଳିର ସଙ୍ଗତେ
ପ୍ରେମର ପାରିଧି ସାରି
ସମ୍ମୋହନେ
ବନ, ନଦୀ ତୀର, ସୁରମ୍ୟ କାନନେ
ପୁଷ୍ପବାସ ଅଙ୍ଗେ ଭରି
ସ୍ରୋତସ୍ଵିନୀ
ତୁମ ମୃଦୁ ସ୍ପର୍ଶେ କଳ କଲ୍ଲୋଳିନୀ
ଥର ଥର ଲହରାଏ
ପ୍ରତିକ୍ଷଣ
ତୁମ ପରଶର ମଧୁର କମ୍ପନ
ତା ଉର୍ମିରେ ଦିଶିଯାଏ
ତରୁରାଜି
ନବ ପଲ୍ଲବ ନବପୁଷ୍ପେ ସାଜି
ହର୍ଷ ମନେ ଝୁଲୁଥାଏ
ଶାଖା ଅଗ୍ରେ
ବଉଳ ବାସରେ କୋକିଳ କୋମଳେ
କୁହୁତାନେ ମୋହୁଥାଏ
ତୁମର ସେ
ସ୍ଵତଃ ସ୍ଵରଲୟ ସରସ ସଙ୍ଗୀତେ
ଶୃତି ହୋଏ ଏକନିଷ୍ଠ
ଆହ୍ଳାଦନେ
ହୃଦୟମନର ନିଭୃତ କୋଣେ
ହୋଏ ପୁଣି ଉପବିଷ୍ଟ
ଏକ ସାଥେ
ନାସା କର୍ଣ୍ଣ ତ୍ଵଚା ନୟନ ନିମିତ୍ତେ
ମୁହୁର୍ମୁହୁ ଖେଳିଯାଅ
ଜୀବନର
ବ୍ୟସ୍ତ ବହୁଳ ଚଲାପଥ ମୋର
ମାଧୁର୍ଯ୍ୟରେ ଭରିଦିଅ
ଯାଅ ଖେଳି
ଶ୍ଵାସ ପ୍ରଶ୍ଵାସର ରେଣୁ ରେଣୁ ହୋଇ
ଶରୀରର ପ୍ରତି କୋଷେ
ମରୁତ ହେ
ଜୀବନଟା ମୋର ଋଣଭାରେ ନଏଁ
ଧୀରେ ଧୀରେ ତୁମ ପାଶେ
ଟି. ଦୁର୍ଗା ପ୍ରସାଦ ରାଓ
