ମୃତ୍ୟୁଞ୍ଜୟ ଉବାଚ
ମୃତ୍ୟୁଞ୍ଜୟ ଉବାଚ
ଦିନ ଆସେ ଦିନ ଯାଏ
ଜହ୍ନ ହସେ ସୂର୍ଯ୍ୟ ଉଏଁ
ଏନ୍ତୁଡିର ମିଠା ନିଆଁ
ଶ୍ମଶାନର ଦୁଖ ଧୂଆଁ
ରଜନୀଗନ୍ଧାର ବାସ
ଶେଫାଳୀ ଦୀର୍ଘ ନିଶ୍ବାସ
ମିଳନର ମଧୁ ଗୀତି
ବିଚ୍ଛେଦ ବିରହ ତାତି
ସମ୍ପର୍କର ସେତୁ ସେହି
ଧୋକାର ଗଭୀର ନଈ
ଇନ୍ଦ୍ରଧନୁ ସାତ ରଂଗ
ଫଗୁଣର ଧ୍ବଜ ଭଂଗ
ମିଠା ସପନର ରାତି
ସକାଳେ ବାସ୍ତବ ଭୀତି
ଅଟେ ତ ପାଣି ଫୋଟକା
ତଥାପି ଆଶାର ନୌକା
କେବେ ଲୁହର ସାଗର
କେବେ ହସର ଫୁଆର
ପୁନେଇଁ ରାତି ଜୋଛନା
ଅମାବାସ୍ୟା ଘନ ଅମା
ବୈଶାଖ ଧୂସର ଧରା
ମଳୟ ମଧୁ ପିୟୂଷ
ପାହାନ୍ତି କାକର ଶୋଷ
ଏବେ ଲାଗେ ସବୁ ଅଛି
ଆର କ୍ଷଣେ ନାହିଁ କିଛି
ଜୀବନ ଏ ମାନବର
ମୃତ୍ୟୁର ସଙ୍ଗେ ସମର
ଅହରହ ଲଗାତାର
ମୃତ୍ୟୁର ସଙ୍ଗେ ସମର ।।
