ମରୀଚିକା
ମରୀଚିକା
ଶରତର ଶେଷେ ଆକାଶରେ ଭାସେ
ଘନ କଳା ମେଘ ବଉଦ ରାଜି
ସବୁଜ ଧରଣୀ ଶୀତେଇ ଯାଉଛି
ବରଷାର ତାଳେ ଯାଏ ତ ଭିଜି ।।
ଧୂଆଁଳିଆ ଲାଗେ ଆକାଶଟା ସାରା
କୁହୁଡି କି ସତେ ଯାଇଛି ଘେରି
ରହି ରହି ବହେ ଶୀତଳ ପବନ
ଦେହ ମନ ପ୍ରାଣ ଯାଏ ତ ଘୂରି ।।
ଦିଗନ୍ତ ବିସ୍ତାରି ସବୁଜ କାନନ
ଅବଷାଦ ଭରା କାହାଣୀ କହେ
ପ୍ରଶାନ୍ତ ସୁଷମା କମନୀୟ କାନ୍ତି
ସପ୍ତ ସିନ୍ଧୁ ନୀର ଉଜାଣି ବହେ ।।
ନୀଡହରା ପକ୍ଷୀ ଡେଣା ମେଲି ଉଡେ
ଅଜଣା ବତାସେ ନୀଡ ହଜାଇ
ବେଦନା ବିଧୁର ଅସ୍ପଷ୍ଟ କାକଳି
ଅଦୃଶ୍ୟର ପଥେ ଲୁହ ଝରଇ ।।
ଝରଣା ଗାଉନି କୁଳୁକୁଳୁ ସୁରେ
ମଧୁମୟ ଗୀତ ମନ ହରଷେ
ଫୁଲର ସ୍ତବକ ମ୍ରଉଳି ଗଲାଣି
ଚହଟୁନି ଆଉ ସ୍ନିଗ୍ଧ ସୁବାସେ ।।
ଆଶା ନିରାଶାର ଛାଇ ଆଲୁଅରେ
ଜୀବନ ଖେଳୁଛି ଚକାଭଉଁରୀ
ଆଲୋକର ବର୍ଣ୍ଣ ଲାଗଇ ବିବର୍ଣ୍ଣ
ମାୟା ମରୀଚିକା ଗଢେ ପାଚେରି ।।
ଅମାବାସ୍ୟା ପକ୍ଷ ବହଳ ଅନ୍ଧାର
ଜହ୍ନର ଜୋଛନା ଗଲାଣି ହଜି
ସୁପ୍ତ ଚେତନାର ଗୁପ୍ତ ଇଲାକାରେ
ବିରହ ସଙ୍ଗୀତ ଉଠୁଛି ବାଜି ।।
ଅନ୍ଧାର ଆଲୋକ ପାପ ଅବା ପୁଣ୍ୟ
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ
ମିଳନ ବିଚ୍ଛେଦ ହର୍ଷ ଓ ବିଷାଦ
ସତ୍ୟ ମିଥ୍ୟା ପୁଣି ରାତ୍ରି ଦିବସ ।।
ବିଶ୍ବାସର ଯେତେ ଅକ୍ଷ୍ୟାଂଶ ଦ୍ରାଘିମା
ଲିଭି ଯାଏ ଧୀରେ ଶୂନ୍ୟତା ପଥେ
ବିଦଗ୍ଧ ମନର ଅସ୍ପଷ୍ଟ ରାଗିଣୀ
ଛନ୍ଦ ହରା ଲାଗେ ଯନ୍ତ୍ରଣା ସାଥେ ।।
ସିକ୍ତ ଅନୁକମ୍ପା ରିକ୍ତ ବଳୟରେ
ଖୋଜୁଛି ଠିକଣା ନିତି ବିଜନେ
ନିଥର ନୀରବ ନିରୋଳା ମୁହୂର୍ତ୍ତ
ଢାଳେ ଅଶ୍ରୁ ବିନ୍ଦୁ ସିକ୍ତ ନୟନେ ।।
ନିଃଶ୍ବାସେ ଭରସା ତୁଟି ଯାଏ ଯେବେ
ଚଉଦିଗ ଲାଗେ ମହାଅନ୍ଧାର
ଥିରି ଥିରି ବହେ ଅଣଚାଶ ବାଆ
ଦୁନିଆ ଟା ଲାଗେ ଯାହା ଅସାର ।।
ମିଛ ଜୀବନରେ ମିଛ ଅଭିନୟ
ମିଛ ଜୟଗାନ ମିଛ ପ୍ରଚାର
କ୍ଷଣିକ ଅଳିକ ଯେତେ ଅହଙ୍କାର
ନିଆଁର ପାଉଁଶ ସୁବର୍ଣ୍ଣ ପୁର ।।
ଅମ୍ଳାନ ଶାଶ୍ଵତ ଶୁଭ୍ର ଜ୍ୟୋସ୍ନା ଧାର
ଉଦ୍ଭାସିତ ହେବ ଅନ୍ଧାର ଚିରି
ବନ ଉପବନ ଗିରି ଶୃଙ୍ଗ ପଥ
ପୁଲକିତ ହେବେ ବକ୍ଷ ବିସ୍ତାରି ।।