ମୋତେ ଯିବାକୁ ଦିଅ
ମୋତେ ଯିବାକୁ ଦିଅ
ମୋ ବାଟ ଉଗାଳନା
ମୋତେ ଆକଟ କରନା
ମୋତେ ଯିବାକୁ ଦିଅ
ଘେରାଏ ବୁଲି ଆସିଲେ
ଶୀତଳି ଯିବ ମନ ପ୍ରାଣ।
ଗୁଡୁରେ
ସାଇକେଲଟାକୁ ସଳଖେଇ ଦେ
ପାଣି ଗାମୁଛାଟା ଆଲଣାରୁ ଭିଡି ଆଣ
ସଅଳ ସଅଳ ବାହାରି ଯାଏ
ଏମୁଣ୍ଡରୁ ସେମୁଣ୍ଡ ପରସ୍ତେ ଘୁରି ଆସିଲେ
ଉଶ୍ୱାସ ଲାଗିବ ଅରିମାନା ମେଣ୍ଟିଯିବ।
ମୋତେ ପଚାର ନା
କୋଉଠିକି ଯିବି
ତୁମେ କେବେ ବୁଝିଛ ନା ବୁଝିବ
ବରଂଚ ଟାପରା କରିବ
ପିଲାଙ୍କ ପରି ହେଉଛି କହି ହସରେ ଉଡ଼େଇ ଦେବ।
ମୋ ବାଟ ଛାଡ଼ ଟିକେ ମୁଁ ଚକ୍କର କାଟି ଆସେ।
ବେଶୀ ଦୂର ଯିବାର ନାହିଁ ମୋର
ଯାଇ ଯାଇ ଯିବି ଖୁଣ୍ଟିଆ ସାହି
ଲଖଣ ଜେନା ଯୋଗୀଟିଏ ପରି ଧ୍ୟାନମଗ୍ନ ବୁଢା ଗଡ଼ିଆ କୂଳେ
କୁଣ୍ଡା ଗୋବର ଦେଇ ଭଣ୍ଡଉଛି କଉ ଗଡ଼ିଶଙ୍କୁ
ତା ଖଳିଆ ଟିକେ ଉଣ୍ଡି ଆସେ।
ଏ ସନ ଶୀତଟା ବେଶ ବାଜିମାତ୍ କରୁଛି
ଜାଡରେ ନେଇ ବୋଉ ଆଉ କଲବଲ ହେଉନି ତ ଟିକେ ଦେଖି ଆସେ।
ରହି ରହି କମ୍ପି ଉଠୁଛି କଟିଆ ଜେନାର ତୁରୀ
ମଠବାଡ଼ି ଜେନାସାହିଟା ଉଠୁଛି ପଡୁଛି
ଟିକେ ଶୁଣି ଆସେ।
ଟେରାଛକରେ ଗମାତିଆଙ୍କ କୋଳାହଳ
ତ୍ରିପୁରେଶ୍ୱର ବେଢାରେ ଭକ୍ତଜନଙ୍କ
ନିଷ୍ଠାପର ପୂଜନ
ପୁରିଆ ମାଷ୍ଟ୍ରେଙ୍କ ଚାହାଳୀରେ ଶିଶୁଙ୍କ
ଆହେ ନୀଳ ଶଇଳ
ଟିକେ ଅନୁଭବ କରି ବସେ।
ଘୁରିବାକୁ ତ ଅନେକ ଅଛି
ଯେତେ ପଇଁତରା ମାଇଲେ ବି କ୍ଲାନ୍ତି ନାଇଁ
ଯେତେ ଦେଖିଲେ ବି ଅବସାଦ ନାହିଁ
ଅସରା ମୋ କାଦୁଆ ଗାଁ ଦାଣ୍ଡର ସୌନ୍ଦର୍ଯ୍ୟ
ମାଟିକାନ୍ଥ ଚାଳଛପରର ଐଶ୍ୱର୍ଯ୍ୟ
ସେଇଠି ଯେ ମୋର ଷଠିଘର
ତାକୁ ଥରେ ନ ଦେଖି ନ ବୁଲି କି ସ୍ଥିର ରହି ପାରିବି!
ସେଇଠି ପାଇଁ ତ କହୁଛି
ମୋ ବାଟ ଉଗାଳନା
ମୋତେ ଆକଟ କରନା
ମୋତେ ଯିବାକୁ ଦିଅ
ଘେରାଏ ବୁଲି ଆସିଲେ
ଶୀତଳି ଯିବ ମୋର ମନ ପ୍ରାଣ।
