ମୋ ରାଣ
ମୋ ରାଣ
ବିଲେଇ ଦେଉଛି ମାପ ଦରଜୀ
ପାଖକୁ ଯାଇ
କହୁଛି କିଛି ଢିଲା ଢ଼ାଲିଆ ପୋଷାକ
ମୋ ପାଇଁ ଦିଅ ହେ ବନାଇ
କେତେ ଦିନ ପରେ ବାହାରିଛି ମୁଁ
ଭ୍ରମଣ କରିବା ପାଇଁ
ହେଲେ ମାଛ ଶୁଖୁଆ ଙ୍କୁ ଛାଡି
ମୋତେ ବୁଦ୍ଧି ବାଟ ଦିଶୁନାହିଁ
ଘର କୋଣରେ ଶିଖା ଉପରେ
ସଭିଏ ତାକୁ ରଖିଛନ୍ତି
ମୋ ଭଳି ନିରୀହ ଜୀବ କଥାକୁ
ମନରୁ ଭୁଲି ଯାଇଛନ୍ତି
ପଖାଳ ସହ ଶୁଖୁଆ ଭାଜି
ମନ ଖୁସିରେ ଖାଉଥାଆନ୍ତି
ମୋ ପାଇଁ ଖାଲି ମାଛ ଶୁଖୁଆ କଣ୍ଟା
ସହିତ ଝୋଳ ଟିକିଏ ଦିଅନ୍ତି
ସାନ୍ତାଣି ମୋର କହୁଛି ମୋତେ
ପୁଷି ଧନ ତୁ ମୋର
ବୁଝିପାରେନି ମୋପାଇଁ କିଆଁ
ମିଛ ସ୍ନେହ ଆଦର
ବାରିକ ଘରେ ରହୁଛି ମୋର
ଅତି ପୁରୁଣା ମିତ
କହିଲା ମୋତେ ପାଖ ବାଜରେ
ନୀତି ଚାଲେ ଜାତ
ଭଳିକି ଭଳି ଗାଡ଼ିରେ ଛୁଟି ଆସନ୍ତି
କେତେ ନୂଆଁ ବାବୁ
ମୁଣିରେ ଭରି ନେଇଚାଲନ୍ତି
ମାଛ ଶୁଖୁଆ ସବୁ
କି ସୁନ୍ଦର ସେ ବଜାର ଲାଗେ
ମାଛ ଶୁଖୁଆ ଭରପୁର
ଦେଖିଲେ ତୁ ସେସବୁ ଥରେ
ହାଟକୁ ଚାଲିବୁ ବାର ବାର
ହୀନିମାନିଆ କପାଳ ନେଇ
କାହିଁକି ପଡ଼ିଛୁ ଏଠି
ବାସି ପଖାଳ ଶୁଖୁଆ କଣ୍ଟା
ଖାଉଛୁ ନିତି ବାଛି
ଆସିବୁ ଯେବେ ସାଥୀରେ ମୋର
ନୀତି ଏକାଠି ଯିବା
କେବିନି ତଳେ ଲୁଚି ରହି ବଡ଼ ମାଛ-
ଟିଏ ଝାମ୍ପି ଦାନ୍ତରେ ଆଣିବା
କି ସୁଆଦ ସେ ମଧୁର ମାଛ
ମାଉଁସିଆ ତା ଦେହ
କାତି ସହିତ କଣ୍ଟାକୁ କିଏ
ଭୁଲି ପାରିବ କହ
ଏକାଠି ଯିବା ଆମେ ଦୁହେଁ
ଶିକାର କରିବାକୁ
କେତେ ସାହି ଗଳି ଅଜଣା ଜାଗା
ଗାଁ ଠୁ ସହର ସାଥିରେ ନେବି ତୋତେ
ଚିହ୍ନା ସାଥୀରେ ଅଚିହ୍ନା ସାଙ୍ଗକୁ
ଦେଖିବୁ ମୋ ସାଥେ
ପର ଆପଣା ଭାବିବୁ ନାହିଁ
ସଭିଏଁ ଆମ ଭଳି
ଥରେ ଥରେ କିନ୍ତୁ ରାଗରେ
ରାମ୍ପୁଡା କାମୁଡା କରନ୍ତି ମୋତେ ଭାରି
ସେତିକି କଥା ଆଦରି ନେଲେ
ଅସୁବିଧା କିଛି ନାହିଁ
ତୋ ସୁଖ ଦୁଃଖରେ ଏକାଠି ଆମେ
ଲଢ଼ି ଚାଲିବୁ ତୋ ପାଇଁ
ଛାଡ଼ିଦେ ସେହି ପୁରୁଣା ଘର
ମିଛ ଦେଖଣା କଥା
ଆମ ଶିକାର ଖୋଜିବା ଆମେ
ଦେଉଛି ତୋତେ କଥା
ପାଖରେ ଅଛି ଦୋକାନଟିଏ
କରିଛି ମାଙ୍କଡ଼ ଭାଇ
ଭଳିକି ଭଳି ଢିଲା ଢ଼ାଲିଆ
ପୋଷାକ କରୁଛି ଆମ ପାଇଁ
କହିବୁ ଯଦି ତୋ ପାଇଁ ଗୋଟେ
ସୁନ୍ଦର ଜାମା ଦେବରେ ବନେଇ
ତୋ କଥା ଶୁଣି ଆସିଛି ମୁଁ
ମାଙ୍କଡ଼ ପାଖକୁ ଧାଇଁ
ଅତି ସୁନ୍ଦରିଆ ପୋଷାକ
ମୋପାଇଁ ଦିଅ ଟିକେ ବନେଇ
ପୋଷାକ ପିନ୍ଧି ସାଜିବି ହିରୋ
ମାଲିକ ପାଖକୁ ଯିବି
ତୁମ ଘରର ସ୍ନେହ ଆଦର
ଲୋଡ଼ା ନାହିଁ କହିବି
କେତେ ଖାଇବା ଖାଉଛ ତୁମେ
ମୋ ପାଇଁ କିଛି ବି ନାହିଁ
ମିଆଁଉ ମିଆଁଉ କରିଲେ
ମାଛ କଣ୍ଟା କିଛି ଦେଉଛ ପକେଇ
ଜାଣିଛ କେବେ ଭାବିଛ ମନେ
ମୋ ପେଟ ବିକଳ କଥା
କ୍ଷୀର ଛେନା ଖାଇ ଗଡୁଛ ତୁମେ
ତୁମ ଘର ପାଇଁ ମୋର ଚିନ୍ତା
ଧାନ ଚାଉଳ ଖାଉଛି ମୂଷା
ସବୁ ଲୁଟି ନେଉଛି
ମାଲିକାଣିଙ୍କ ମହଙ୍ଗା ଲୁଗା
କୁଟକୁଟା କରୁଛି
ତୁମ ଝିଅର ବହି ପତ୍ର
କାଟୁଥିଲା ଏମିତି
କରିଲି ପଣ ଆଜି ମୂଷା ମରଣ
ସଜାଗ ହୋଇ ଗଲି
ଛପିଛପିକା ବାରି ଦୁଆରେ
ତାକୁ ଜଗି ବସିଲି
ଧାନ ଘରକୁ ଆସିଲା ଯେବେ
ଗୋଟାଏ ଝାମ୍ପ ଦେଲି
ମୁନିଆଁ ନଖରେ ମୋର
ଦେହରୁ ତାର ରକତ ବୁହାଇ ଥିଲି
ସେ ଦିନ ମୋତେ ଭାରି ସରଧା
କରିଲେ ମା ମୋର
ଭାତ ଓ କ୍ଷୀର ଯତନେ ଆଣି
ପାଖରେ ଥୋଇଲେ ମୋର
ମୁଣ୍ଡ ଆଉଁସି କହିଲେ ପୁଷି
ଖାଇବୁ ଯତନ କରି
କିଛି ନ ଖାଇ ପତଳା ଦିଶୁ
ଅସୁନ୍ଦରିଆ ଲାଗୁଛୁ ମୋତେ ଭାରି
ପଡିଶା ଘର ମାଉସୀ ଆଣି ରଖିଲେ
ମାଛ ବେସର ଭୋକ ବିକଳେ
ପାଟିରୁ ମୋର ବୋହି ଚାଲିଲା ଲାଳ
ମାଛ ମୁଣ୍ଡକୁ ଦାନ୍ତରେ ଧରି
ବାରିପଟକୁ ଯାଇଛି
ଖଡ଼ିକା ମୁଠାରେ ଗୋଟାଏ ମାଡ଼
ତୁମ ହାତରୁ ଖାଇଛି
ଛାଡ଼ିଲି ବୋଲି ଏ ତୁମ ଘର
ମନରେ ନିଷ୍ପତ୍ତି କଲି
ମାଛ ହାଟରେ ରହିବି ଯାଇ
ସବୁ କଥା ବୁଝି ଆସିଲି
ବିଦାୟ ନେଇ ଯାଉଛି ପୁଷି
ଏ ଘର ଅଗଣା ଛାଡି
ମନଖୁସିରେ ମାଛ ଝୋଳକୁ
ଖାଉଥାଅ ମନ ଭରି
ଢିଲା ଢ଼ାଲିଆ ପୋଷାକ ଗୋଟେ
ତିଆରୁଛି ମୋ ପାଇଁ
ରହିଲା ରାଣ ଘରକୁ ମୋର
କେବେ ଫେରିବାର ନାହିଁ
