ମୋ ନାତି
ମୋ ନାତି
ସୋପାନ ପରେ ସୋପାନ କରି ଆହୋରଣ
ଅନୁଭୂତି ଘେନି କରେ ଜ୍ଞାନ ସଂରକ୍ଷଣ ।
ପୃଷ୍ଠପରେ ବୋହିଛି ମୁଁ ଯେଉଁ ଭାଗ୍ୟ ଭାର
ସେହି ମୋ ନୟନ ମଣି ଗଳା ରତ୍ନହାର ।
ଅନ୍ଧର ଲଉଡି ସାଜ୍ଜି ଦର୍ଶାଇବ ରାହା
ପ୍ରକାଣ୍ଡ ପାଦପ ପରି ମୁହିଁ ତା'ର ଛାୟା ।
ଅନ୍ତିମ କାଳେ ସାହାରା ଏଇ ମୋର ନାତି
ଆଶା ମୁଁ ରଖିଛି ସ୍ବର୍ଗେ ଦେଖାଇବ ବତୀ ।
ସିଏ ମୋ କାହାଣୀ ମୁହିଁ ତା'ର ଝୁଲା ମୁଣି
ସିଏ ମୋର ମହାରାଜା ମୁହିଁ ଯେ ରଙ୍କୁଣୀ ।
ପରିଣତି ବୟସରେ ଆଖିରେ ସପନ
ତା ଓଠର ଖନି ଭାଷା ମୋ ଦେହେ ଚନ୍ଦନ ।
ଆଞ୍ଜୁଳା ଆଞ୍ଜୁଳା କରି ସ୍ନେହ ଢାଳି ଦେଇ
ସାଇତି ରଖିବି ତାକୁ ଆଞ୍ଚଳ ଘୋଡାଇ ।
ଭୁଲି ମୁଁ ଯାଇଛି ଆଜି ଯେତେ ଅପମାନ
କ୍ଷୁଧା ହେଉ କିବା ଘାତ କ୍ରୋଧ ଦଣ୍ଡ ମାନ ।
ଜରା କାଳେ ଏଇ ମୋର ସୁବର୍ଣ୍ଣର ଥାଳ
ସୌଭାଗ୍ୟ ମଣୁଛି ପାଇ ସତେ ନନ୍ଦ ବାଳ ।
ଭବିଷ୍ୟନିଧି ମୋହର ହେଉ ଆୟୁଷ୍ମାନ
ବଢୁ ଥାଉ ଦିବା ରାତି ପୂର୍ଣ୍ଣ ଜହ୍ନ ସମ ।
ଅମୃତ ସନ୍ତାନ ଶିଶୁ ସର୍ବେ ଜାଣି ଥାଅ
ବାଳକ ପ୍ରତି ସର୍ବଦା ଦୟା ରଖି ଥାଅ ।
