ମୋ ଜଗନ୍ନାଥ
ମୋ ଜଗନ୍ନାଥ
ମୋ ହୃଦ ମନ୍ଦିରେ ତୁମେ,
ଭାବ-ଭକତି ଠାକୁର
ଜଗତର ନାଥ ପ୍ରଭୁ
ସ୍ନେହ କରୁଣା ସାଗର ,
ଅଗତିର ଗତି ତୁମେ
ପରଂବ୍ରହ୍ମ ନାରାୟଣ ,
ଭକତ ନିମନ୍ତେ ସଦା
ଆତୁର ତୁମରି ମନ ,
ଶ୍ରୀକ୍ଷେତ୍ରେ ବସିଛ ପ୍ରଭୁ
ଭାଇ ଭଉଣୀ ସହିତେ
ଦୁଇ ଭୁଜକୁ ପ୍ରସାରୀ
ଡ଼ାକ , ଆସ ହୋ ଭକତେ,
ତୁମେ ମୋର କଳ୍ପବଟ
ତୁମେ ମୋ କଳାମୋହନ ,
ମୁଁ ଏକ ହୀନ ପାତକୀ ,
ତୁମେ ମୋ ଜୀବନ-ଧନ ,
ଭାବରେ ବନ୍ଧା ଠାକୁର
ନିଧନ-ଶଂଖାଳି ମୋର
ମୋହନ ବଂଶୀର ସୁରେ
ବନ୍ଧା ଆମ ଭାବ-ଡ଼ୋର ,
ଯଶୋଦା କୁଳ ନନ୍ଦନ
ଶ୍ୟାମଳ ଶ୍ୟାମ ସୁନ୍ଦର
ଅଙ୍ଗେ ଶୋହେ ପୀତବାସ
କପାଳେ ଚନ୍ଦନ ଗାର ,
ଯେବେ ଥିଲ ଗୋପପୁରେ
କରିଲ ସଭିଁଙ୍କୁ ବାଇ
ମୋହନ ବଂଶୀ ତୁମର
ଡ଼ାକୁଥିଲା ରାଇ ରାଇ ,
ରାଧିକା ରାଣୀଙ୍କୁ ସତେ
ଦେଇଥିଲ କିବା ମନ
ବିରହ ବେଦନା ଏତେ
କିମ୍ପାଇ ଦେଲ ମୋହନ !
ସହିପାରିଲ କେମିତି
ଆଖିରେ ତାଙ୍କର ଲୁହ ,
ଚାଲିଗଲ ମଥୁରାକୁ
ମନେ ଭରିଦେଇ କୋହ,
ତୁମେ ସେହି କଳା କାହ୍ନୁ
ଏବେ ହୋଇ ଜଗନ୍ନାଥ
ନଚାଅ ଭକତ ମନ
ବଈଁଶୀ ସୁରେ ତୁମର ,
ତୁମେ ପ୍ରଭୁ ଜଗନ୍ନାଥ
ମୁଁ ଅଟେ ତୁମର ଦାସ
ଚକ୍ର ଆଢୁଆଳେ ରଖ
ବିପଦେ ଦେଇ ସାହସ ,
ତୁମେ ପ୍ରଭୁ ପରଂବ୍ରହ୍ମ
ତୁମେ ନିତ୍ୟ ସନାତନ
ଜୀବନ ମୋ ଯାଉ ବିତି
ଜପି ତୁମ ନାମ-ରତ୍ନ ,,,,