ମୋ ଜାତକ ପ୍ରଭୁ ଦିଅ ବଦଳାଇ
ମୋ ଜାତକ ପ୍ରଭୁ ଦିଅ ବଦଳାଇ
ହେ ଚକା ନୟନ କେଡେ ନିରିଦୟ
ହୋଇଲ କି ସତେ ନାଥ
ଭସା ମେଘ ମୁଁ ଯେ ଭାସି ବୁଲୁଥିଲି
ଦେବାକୁ ତୁମକୁ ସୁଖ
ତୁମରି ଚରଣ ଧୋଇ ଦେବି ବୋଲି
କରିଥିଲି ବଡ ଆଶା
ନିର୍ଦୟ ନିଷ୍ଠୁର ନିଦାରୁଣ ହୋଇ
କଲ ନାହିଁ ମୋତେ ବର୍ଷା
ତୁମରି ଦାଣ୍ଡରେ ବହି ଯିବା ପାଇଁ
ସ୍ବପ୍ନ ଥିଲା ବଡ ମୋର
ଶରଧା ବାଲିରେ ଲୀନ ହେବା ପାଇଁ
ଚାହିଁ ଥିଲି ବାର ବାର
ଏଡେ ଗ୍ରୀସମରେ ପ୍ରଭୁ ହେ ତୁମକୁ
ଶୀତଳ କରିବି ବୋଲି
ସାରା ଆକାଶଟା ଛାଇ ରହିଥିଲି
ଦୂରକୁ ନ ଦିଅ ଠେଲି
ତୁମ ଚଉବାହା ମଙ୍ଗଳ ମୂରତି
ଆରତ ଜନର ବନ୍ଧୁ
ଗଗନରେ ତୁମ କୃପା ବାରି ଢାଳି
ମୁକ୍ତି ଦିଅ କୃପାସିନ୍ଧୁ
ନୁହେଁ ମୁଁ ଯେ କେଉଁ ଅଦିନିଆ ମେଘ
ଅଦିନେ କରୁଛି ଅଳି
ଏଇ ଅଷାଢ଼ରେ ବରଷି ଯିବାକୁ
ଭାଗ୍ୟ ଲେଖିଥିଲା ବିହି
ନାଥ ହେ ତୁମକୁ ଶୁଭୁ ନାହିଁ କିବା
ଘଣ୍ଟ ଘଣ୍ଟା କୋଳା ହଳେ
ମିଶିଯିବି କିବା ତୁମରି ଧାମରେ
ମହୋଦଧି ପୁଣ୍ୟ ଜଳେ
କଳପ ଗଛର ମୂଳରେ ବରଷି
କରିବକି ଧନ୍ୟ ମୋତେ
ମୋ ଜାତକ ପ୍ରଭୁ ଦିଅ ବଦଳାଇ
ଏହି ଅଳି ରଖ ରଥେ