STORYMIRROR

Aishwarya Mishra

Others

4  

Aishwarya Mishra

Others

ମୋ ଘର ଅଗଣା

ମୋ ଘର ଅଗଣା

1 min
257


କାହିଁ କେତେ କାଳରୁ

ଘରର ଠିକ୍ ମଝାମଝି

ସଗର୍ବେ ମୁଣ୍ଡ ଟେକି ଠିଆ ହୋଇଛି ସେ,

ଏତେ ବଡ଼ ଘରଟିର ସବୁ କଥାରେ

ମୁରବୀ ସାଜି,

ଘରଟିକୁ ସଂସ୍କାର ଓ ପରମ୍ପରାର ରଜ୍ଜୁରେ

ବାନ୍ଧି ଧରିଛି ସେ ,


ସେ ଦେଖିଛି

କାହିଁ କେତେ ପରିବର୍ତ୍ତନ 

ନାଉଡ଼ଙ୍କର ଲତାରୁ ଆରମ୍ଭ କରି

କୃତ୍ରିମ ମନି ପ୍ଲାଣ୍ଟ୍ ଯାଏଁ,

କେତେ ଯେ ପରିବର୍ତ୍ତିତ ହୋଇଛି

ତା' ସ୍ଵରୂପ

ତଥାପି ବଦଳି ନାହିଁ ;

ଅଗଣା ମଝିରେ ଥିବା 

ସେ ତୁଳସୀ ଚଉରା ,

ଚଉରା ମୂଳର ସଂଧ୍ୟା ଦୀପ ,

ନନାଙ୍କ ସଂଞ୍ଜ ଆଳତୀ 

ଆଉ

ବୋଉର ସକାଳ- ପୂଜା ;


ଆମ ଘରର ସୁଖ-ଦୁଃଖର 

ଚିର ସହଚର ସେ ,

ବଂଶାନୁକ୍ରମେ ଦେଖିଛି ସେ 

କେତେ ଶୈଶବର ଦୋଳି

ଯୌବନର ଉତ୍ତାଳ ସ୍ଵପ୍ନ

ବାର୍ଦ୍ଧକ୍ୟର ସୌମ୍ୟ ଅମ୍ଳାନ ଦ୍ୟୁତି ,


କେତେ ରାତିରେ ସେ ଦେଖାଇଛି 

ଖୋଲା ଆକାଶର ଜହ୍ନମାମୁଁ 

କେତେ ଶ୍ରାବଣରେ ଟାଣି ଆଣିଛି

ଭିଜା ମାଟିର ଉନ୍ମତ୍ତ ବାସ୍ନା,

ବସନ୍ତରେ ଟାଣି ଆଣିଛି

ମଳୟ ପବନ,


ଏବେ ବି ମନେ ପଡ଼େ ମୋର

ଘର ଅଗଣାର ଆରାମ୍ ଚୌକି

ଆଉ ସେ ଚୌକିରେ ବସି

ଗପ କହୁଥିବା ଜେଜେ ମାଆଙ୍କ ମୁହଁ ,

ଶୀତଳଷଷ୍ଠୀ ପୂଜା ନିମନ୍ତେ , 

ବଢା ହେଉଥିବା ପଙ୍ କ୍ତି ଭୋଗ 

ନନାଙ୍କ ଚୂଡ଼ାଘଷା 

ବୋଉର ହାତରନ୍ଧା ପିଠା ,

ଏସବୁର ସମାବେଶରେ 

ମହ ମହ ମହକୁଥାଏ ,

ମୋ ଘର ଅଗଣା ,


ଆବାଲ୍ୟଯୌବନ ସ୍ମୃତିକୁ

ନିଜ କୋଳରେ ସାଉଁଟି 

ସ୍ମୃତି ବର୍ଷାରେ ନିତି ନିତି ଭିଜି ,

ସଦା ମୋ ମନରେ ସ୍ମୃତି-ସିକ୍ତା ସାଜେ ,

ମୋ ଘର ଅଗଣା ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍