ମୋ ଗାଁରେ ରଜ
ମୋ ଗାଁରେ ରଜ
ଏଥର ରଜରେ ଯାଇଥିଲି ବୁଲି ଗାଁକୁ,
ଖୋଜି ଖୋଜି କିନ୍ତୁ ପାଇଲିନି ରଜ ରାଣୀକୁ।
ନାହିଁ ରଜଦୋଳି ନାହିଁ ପୋଡପିଠା,
ନାହିଁ ଆଉ ରଜ ମଉଜ,
ଟିପି ଚନ୍ଦନରେ, କମ ଅଳତାରେ,
କୁଆଁରୀ ହଉନି ସଜ।
ଆମ୍ବତୋଟା ମାଳୁ,ବର ଓହଳରୁ,
ଶୁଭୁନାହିଁ ରଜଗୀତ,
ବାଗୁଡି ଖେଳର ଆସର ଜମୁନି
ନାହିଁସେ ଓହଳ ଜାତ।
ନାହିଁ ରଜ ମୁଢି,ନାହିଁ ରଜ ବଡି,
ପଡୁନାହିଁ ରଜହେଂଶ,
ନାହିଁ ସାହିବୁଲା, ନାହିଁ ବାଦିପାଲା,
ନାହିଁ ଗୋଟିପୁଅ ବେଶ।
ରଜଦୋଳି ସାଥେ ଆକାଶ ଛୁଉଁନି,
କୁଆଁରୀ ଝିଅର ମନ,
ଗୋଟା ଲବଙ୍ଗରେ ଅଳେଇଚ ଦେଇ,
ଭାଙ୍ଗୁନାହିଁ ଖିଲିପାନ।
ଶୁଭୁନାହିଁ ଆଉ ନୂଆ ଭାଉଜର,
ଚୁଡି ପାଉଁଜୀର ସ୍ୱର,
ଭାଇଙ୍କ ହାତରେ ହାତ ଛନ୍ଦି ସିଏ,
ଯାଉଛି ସିନେମା ଘର।
ସଭିଙ୍କ ହାତରେ କାଚମାର୍କା ଭଳି,
ସ୍ମାର୍ଟଫୋନ୍ ଶୋଭାପାଉଛି,
ସାଙ୍ଗ ସାଥି ମେଳେ, ଗାଁ ନଈକୂଳେ,
ସେଲ୍ଫି ନବା ପୁଣି ଚାଲିଛି।
ଫେସବୁକ ଆଉ ହ୍ୱାଟସଆପରେ,
ଦିନ ରାତି ବିତି ଯାଉଛି,
ଭଉଣୀ ମୋହର ସଜବାଜ ହେଇ,
ଟିକଟକ ଭିଡିଓ କରୁଛି।
ଗେଲ୍ହି ନୂଆବୋଉ ଇୟୁଟ୍ୟୁବ ଦେଖି,
ପିଜା, ଉତପମ୍ କରୁଛି,
ସରୁ ଚକୁଳି ଓ ମଣ୍ଡା କାକରାକୁ,
କିଏ ଏବେ ଆଉ ଝୁରୁଛି।
ନାହିଁ ଚୁଲି ଜାଳ, ନାହିଁ ଘଷି ଫଡା,
ଉଜ୍ଜଳା ସବୁଠି ଜଳୁଛି,
ପ୍ରେସର କୁକର ପୋଡପିଠା ଆଜି,
ସବୁରି ମନକୁ ମୋହିଛି।
ବନା ଗୁଡିଆର ଦୋକାନଟା ଆଜି,
ମଶାଣି ପରିକା ଲାଗୁଛି,
ଚିକେନ ଚାଉମିନ, ଏଗ୍ ରୋଲରେ,
ଗାଁ ଛକ ଖାଲି ବାସୁଛି।
ବଡ ଝିଆରୀ ମୋ ହାଇହିଲ୍ ପିନ୍ଧି,
କ୍ୟାଟୱାକ୍ ପ୍ରାକ୍ଟିସ୍ କରୁଛି,
ଏଥର ନିଶ୍ଚୟ ରଜ କୁଈନ୍ ର,
ମୁକୁଟ ପିନ୍ଧିବ କହୁଛି।
ବସୁଧା ଗାଧେଇ ଚାଷୀ ଭାଇ ଆଉ,
ଲଙ୍ଗଳ ଲୁହାକୁ ପୁଜୁନି,
ଟଙ୍କିକିଆ ଚାଉଳ ଖାଇ ଖାଇ,
ତାର ପେଟ ଏବେ ପୁରି ଗଲାଣି।
ଗାଁ ପୁଅ ଏଠି କୁଜି ନେତା ସାଜି,
ଭାରି ରାଜନୀତି କରୁଛି,
ପୁରା ଗାଁ ଆଜି ବିଭିନ୍ନ ଦଳରେ,
ଭାଗ ଭାଗ ହେଇ ଯାଇଛି।
ସହରୀ ସଭ୍ୟତା, ଶସ୍ତା ରାଜନୀତି,
ଗାଉଁଲି ଲୋକକୁ ମାରୁଛି,
ଉନ୍ନତି କରଣ ନାମରେ ବିଚରା,
ଗାଁ ମାଟି ଥକି ଯାଇଚି।
ବୁଢା ବରଗଛ, ଶୁଖା ନଈ ପଠା,
ବେସୁରା ସଙ୍ଗୀତ ଗାଉଛି,
ମୋ ଗାଁ ସଂସ୍କୃତି ମୋ ପରମ୍ପରା,
ହଜି ହଜି ଏଠି ଯାଉଛି...
ହଜି ହଜି ଏଠି ଯାଉଛି...
