ମୋ ଗାଁଆ
ମୋ ଗାଁଆ
କୋଟିଏ ଭିତରୁ ମୋଗାଁ ଗୋଟିକ
ଠାକୁରାଣୀ ଲକ୍ଷ୍ମୀ ଲାଗେ,
ଯୁଆଡେ ଗଲେବି ଗାଁଆକୁ ଲେଉଟି
ଘେରେ ବୁଲିଆସେ ଆଗେ ।
ମୋଗାଁ ଦେବୀ ଭୁବନେଶରୀଙ୍କୁ
ବେଢାରେ ଜୁହାର କରି,
ମାଆଙ୍କର ବଳ ସାହସ ପରାଣେ
ଅପାର ଆନଂଦ ଭରି ।
ନଈକୂଳେ ବାଲି ଉପରେ ଚାଲିବି
ଥକା ନଲାଗଇ କେବେ,
କେଳୁଅ ନଈରେ ସିନାନ ସାରିଲେ
ଘରକୁ ଲେଉଟେ ଯେବେ।
ବାଟି ବାଟି ବିଲ ଧାନ ମୁଗ ବିରି
କୋଲଥ ,ମାଣ୍ଡିଆ ଚାଷ,
ଆଳୁ ବାଇଗଣ ସାରୁକି କଖାରୁ
ବରଷକ ବାରମାସ ।
ବରଷା ଦିନରେ ଛତୁ ଜାମୁକୋଳି
ଶୀତଦିନେ ଧାନ କଟା,
ନଈ ପାଳ ଜାଙ୍କ ପରିବା କୋଲଥ
ସବୁଠି ସବୁଜ ଲଟା ।
ଖରାଦିନେ ପାଚେ ଆମ୍ବ ପଣସର
ଫଳମୂଳ ବେଲ ପଣା,
ରଜରେ ଗାଁରେ ଗୋଡି ପଟା ଦୋଳି
ପିଠାପଣା ମାନ ଛଣା।
ପରବ ସରବ ଦରବ ସରସ
ହରସ ବରଷ ସାରା,
ସରମ କରମ ଧରମ ପରମ
ଗ୍ରାମ୍ୟ ଜୀବନ ପରା।
ଗାଈଗୋଠ ଧରି ଗୋବରର ମାଟି
ପବିତ୍ର ଅଟଇ କେତେ,
ସଂଯବତୀ ଧରି ମାଆ ମାଉସୀଙ୍କ
ମାନସିକ ମାନ ଯେତେ ।
ଝିଅବିଭାଘର,ଗୋପ ଲଷ୍ମୀ ସବୁ
ପୁରିଲା ପୁରିଲା ଦିଶେ
ସଞ୍ଜକି ସକାଳ ରାତି ସାରା ଗାଁ
ତପସ୍ଵିନୀ ସମ ମିଶେ।
ନିଧିଆ ଭାଇର ଶାଳରେ ସଂଜକୁ
ଲଙ୍ଗଳ ଫାଳକୁ ପିଟି,
ଧାରୁଆ କରନ୍ତି ଚାଷୀ ଭାଇମାନେ
ନିଆଁ ପଡୁଥାଏ ଛିଟି ।
ମଦନ ଭାଇର କଣ୍ଟ୍ରୋଲ ଦୋକାନ
ମିଳେ କିରାସିନି ଚିନି,
ସଂଜକୁ ସୁଭଇ ହରିନାମ ତାଳ
ମୁରଦଙ୍ଗ ତାଳ ଗିନି ।
ଭୋରୁ ଭୋରୁ ରାଢ଼ୀ ଘର ଭାଡ଼ି
ଚୁଡା କୁଟା ସବଦରେ,
ଭାଙ୍ଗିଯାଇ ନିଦ ଦେଖେ କୁଆଁ ତାରା
ସୁରଭି ଆନଂଦ ଭରେ ।
ତନ୍ତୀ ଘର ତନ୍ତ ଖଟ ଖଟ ବୁଣେ
ନାଲି ଗାମୁଛାକି ଶାଢ଼ୀ,
ଓଦର ଭିତରେ ଖତ ବୋହି ନିଏ
ବିଲକୁ ଶଗଡ଼ ଗାଡ଼ି ।
ମେଳା ମଉଛବ ଗାଁ ସାରା ଲୋକ
ପତର ପକାନ୍ତି ଆସି,
ବାସି ଚକୁଳିକୁ ରସୁଣ ଲଙ୍କାରେ
ଦଳି ଖାଏ ଗାଁ ଚାଷୀ ।
ପୋଖରୀ କରାଣ୍ଡି ନଇରୁ ସେରଣା
ପୋଡି ଛେଚି ଦେଇ ଭାତ,
କଙ୍କଡା କି ତୋଡି ରସୁଣ ମରିଚ
ଟେକିଦେଉଥିବ ହାତ।
ସାରୁ ପୋଇ ଦେଇ ଚୁଁଗୁଡି ଘାଣ୍ଟକୁ
ଭୁଲିକି ପାରିବ ଭାଇ,
ରଙ୍ଗ ଭରା ମୁଖ ବିମାନ ଫଗୁଣ
ଭୋଗ ଲାଗେ ସାହି ସାହି।
ଗାଁ ବିଦ୍ୟାଳୟେ ପୁଅ ଝିଅ ମାନେ
ପାଠ ପଢି ବଡ ଚାଟ,
ନିଜ ନିଜ କ୍ଷେତ୍ରେ ଯଶ ଖ୍ୟାତି ରଖି
ବଦଳିଛି ଥାଟ ବାଟ।
ଆଗ ପରି ନାହିଁ ଚାଳ ଘର ଏବେ
କୋଠା ବାଡି ଗାଡ଼ି ଘୋଡ଼ା,
ଚାଷୀ ଭାଇ ପାଇଁ ଶୀତଳ ଭଣ୍ଡାର
ଟିଏ ହେଉଅଛି ଲୋଡା।
ବାଟ ଘାଟ ଏବେ ପକ୍କା ସଡ଼କ
ପରିବା ଗାଡ଼ିକୁ ଗାଡ଼ି,
ବୋହି ନେଇଯାଏ ଦୂର ସହରକୁ
ଗାଁ ହାଟ ବିକା ଛାଡ଼ି।
ବଦଳିଛି କିଛି ପରମ୍ପରା ଅଛି
ଭାଇ ଚାରା ଏକ ପ୍ରାଣ,
ଗାଉଁଲି ଜୀବନ ସରଳ ଭିତରୁ
ପରିଶ୍ରମ ମୂଲ୍ୟବାନ।।
