ମୋ ଗାଁ
ମୋ ଗାଁ
ମୋ ଗାଁ ପଲ୍ଲୀ ପ୍ରକୃତି ହରାଇ
ଧରି ନୂଆ ରୂପ ଆଧୁନିକା
ବିଜୁ ପକ୍କା ରାସ୍ତା ଲମ୍ବିଯାଇଅଛି
କୋଳାହଳ ଶୂନ୍ୟ ମରିଚିକା ।।୧।।
ସାଙ୍ଗସାଥି ମାନେ ସହରେ ରହନ୍ତି
କର୍ମ ସଂସ୍ଥାନରେ ବାନ୍ଧିହୋଇ
ଆଉ କେତେ ଛୁଆ ପାଠ ପଢା ଆଳେ
ସହରେ ଭଡା ରହନ୍ତି ଯାଇ ।।୨।।
ଗାଆଁ ରେ କେବଳ ବୁଢାବୁଢୀ ଛଡା
ଯୁବକ ତ ପ୍ରାୟ ଦିଶନ୍ତିନି
ଅଳ୍ପ କେତେଛନ୍ତି ବେରୋଜଗାରିଆ
ମଦୁଆ,ଜୁଆଡି,ବେଇମାନୀ ।।୩।।
ଅନ୍ୟ ସହରରୁ କର୍ମଚାରୀ ମାନେ
ଆସିକି ରହନ୍ତି ଭଡାଘରେ
ଧିରେ ଧିରେ ସେହି ଗ୍ରାମବାସୀ ହୋଇ
କ୍ରୟ କରେ ଘର ନିଜ ନାଁରେ ।।୪।।
ଗାଆଁ ଖଳା ଜମି ଆଉରହିନାହିଁ
ସାଜିଅଛି ପ୍ଳଟ ଜମିଜମା
ଚାଷୀ ବାପୁଡାଟି ମୁଣ୍ଡେ ହାତଦେଇ
ମୂଲିଆକର୍ମକୁ ରହେ ଜିମା ।।୫।।
ଯାହା ହେଉପଛେ ମାଆର ମମତା
ଟାଣିନିଏ ଆପଣା ଲୋକକୁ
ଆଧୁନିକା ହେଉ ପଛେ ମୋର ଗାଆଁ
ଭୁଲିପାରି ନାହିଁ ତା'ସ୍ନେହକୁ ।।୬।।
କରୋନା ଭୟରେ ଫେରିଛି ଗାଁଆକୁ
ଏବେ ଓଡିଆ ପ୍ରବାସୀ ପୁଅ
ମୋ ଗାଁଆ ହୁଏ ଗହଳ ଚହଳ
ସଂଗରୋଧ କେନ୍ଦ୍ର,ବିଦ୍ୟାଳୟ ।।୭।।
ଚାଷଜମି ମୋର ହସୁଥିଲା ଏବେ
ଅଂପାନ୍ ଆସିକି କଲା କ୍ଷୟ
ହସି ଚାଲିଗଲା ପଶ୍ଚିମବଙ୍ଗକୁ
ଜଗନ୍ନାଥ ପାଦେ ରଖି ଲୟ ।।୮।।