ମୋ ଗାଁ
ମୋ ଗାଁ
ସହରି ସହରି ବାସୁଛି ମୋ ଗାଆଁ,
ସହରି ସହରି ବାସୁଛି।
ଝାଟି ମାଟି ବେଶ ବଦଳେଇ ଗାଆଁ ,
କୋଠା ବାଟି ବେଶେ ହସୁଛି।
ସହରି ସହରି ବାସୁଛି ମୋ ଗାଆଁ,
ସହରି ସହରି ବାସୁଛି ।
ରାତି ପାହିଗଲେ ଗାଆଁର ଲୋକ।
ପୁରି ଯାଉଛନ୍ତି,ସହର ଯାକ।
ସହରରୁ ପୁଣି ପରିବା ଧରିକି
ଫେରି ବାଲା ଗାଆଁ ଧାଉଁଛି।
ସହରି ସହରି ବାସୁଛି ।
ଶେରଣା, ବାଳିଆ, ମାଗୁର, ତୋଡି।
ଗାଆଁ ପୋଖରୀ ସେ ଦେଲେଣି ଛାଡି।
ସହରରୁ ଆଣି ଭାକୁର କି ରୋହୀ,
କେଉଟ ଗାଆଁରେ ବିକୁଛି।
ସହରି ସହରି ।
ଚାଷୀ ରଖି ନାହିଁ ଖଳା, ଅମାର।
ଖତ ନାହିଁ ଖାଲି ପକାଇ ସାର।
ଯେତିକି ଅମଳ କରୁଛି କ୍ଷେତରୁ,
ବିଲରୁ ସେ ବିକି ଦେଉଛି।
ସହରି ସହରି ବାସୁଛି ।
ଗାଆଁ ଠାକୁରାଣୀ ଥିଲେ ଖରାରେ।
ଏବେ ବସିଛନ୍ତି ପକ୍କା ମନ୍ଦିରେ।
ମାର୍ବଲ ପଥରରେ ଝଟକେ ତା ପୀଠ,
ଶାଢ଼ୀ ପିନ୍ଧି ମାଆ ହସୁଛି।
ସହରି ସହରି ବାସୁଛି ।
ମାଟି କାଦୁଅର କଚ୍ଚା ସଡ଼କ।
ସହରି ରାସ୍ତା ଠୁଁ ଦିଶେ ଫରକ।
ଘରୁ ନିଷ୍କାସିତ ଆବର୍ଜନା ଜଳ,
ନାଳ ଦେଇ ବହି ଯାଉଛି।
ସହରି ସହରି ବାସୁଛି ।
ଘରେ ଘରେ ଯଦି ଯାଇ ଖୋଜିବ।
ଓକିଲ, ଡାକ୍ତର ସବୁ ପାଇବ।
ଆଗ ଭଳି ଆଉ ପଛୁଆ ନାହିଁ,
ଗାଁ ଦାଣ୍ଡରେ ଆଲୁଅ ଜଳୁଛି।
ସହରି ସହରି ବାସୁଛି ।
