ମୋ ଗାଁ
ମୋ ଗାଁ
ନାହିଁ କୋଳାହଳ ଆଜି ଶୂନଶାନ ମରୁଭୂମି
ଲୁହ ଝରାଉଛି ବୁଢା ଝଙ୍କାଳିଆ ବରଗଛ
ନାହିଁ ପକ୍ଷୀର କିଚିରିମିଚିରୀ ଶବ୍ଦ
ଝଡ ପରର ନିରବତା ପରି
ସବୁ ଯେମିତି ଲିଭିଯାଇଛି
ଓଠରୁ ହସ ଆକାଶରୁ ରଙ୍ଗ
ଗଛପତ୍ରରୁ ସବୁଜିମା
ଖାଁ ଖାଁ ଲାଗେ ସଞ୍ଜସକାଳ ।
କାହିଁ ସେ ଦିନ ସବୁ
ବଢିଭୋରୁ ବିଲେ ନେଇ ହଳଲଙ୍ଗଳ
ପଖାଳ ଶୁଖୁଆ ପୋଡାର ସୁଆଦ
ହିଡମୁଣ୍ଡେ ବସି ଗପଚାଲିଥାଏ
ଦିଲ୍ଲୀରୁ ଦଉଲତାବାଦ
ଦିଆନିଆ ପୁନେଇଁ ପରବେ ପିଠାପଣା
ଭୁଲିଗଲୁଣି ଆମ ସଂସୃତି ପରମ୍ପରା
ବିଦେଶୀ ରଙ୍ଗିନ ଆଲୋକେ ।
ହାଣ୍ଡିଆ ମଦ ପିଇ ନାଚୁ ଉଦଣ୍ଡ ନାଚ
ରାଜନୀତିର ରଙ୍ଗ ବୋଳାବୋଳି ହୋଇ
ଚାହିଁବସିଛୁ କେଉଁଠି ମାଗଣା ମିଳିଯିବ
ରାତାରାତି କୁବେର ଧନ ବିନାଶ୍ରମେ
ଥିଲାବାଲା ବି ହାତ ପାତେ ଏଠି
ନଥିଲା ଲୋକକୁ କିଏ ବା ପଚାରେ ।
ଗାଁରେ ଆଜି କାହାଁନ୍ତି ଯୁବକ
ପେଟ ପାଇଁ ଛାଡନ୍ତି ଭିଟାମାଟି
ସୁରଟରେ ଖଟନ୍ତି ଦାଦନ
ବିଲବାଡି ହେଲାଣି ଘାସ ବେଣାମୟ
ସରକାରର ମାଗଣା ଚାଉଳ ଖାଇ
ହାକୁଟି ମାରି ତାସ ପାଲି ଗୁଲିଖଟି ଜମେ
ଛକ ପଡିଆ କେବିନମୂଳେ
ବିଲକୁ କ
ିଏ ବା ଯାଏ
କାଦୁଅ ପଙ୍କେ ଘାଣ୍ଟିହେବାକୁ
ଛତା ଯୋତା ଭତ୍ତା କୋଠାଟିଏ ମିଳିଗଲେ
ସରଗଟା ପରା ଆଉ ଦୁଇ ଆଙ୍ଗୁଳି ।
ପଲପଲ ଗାଈଗୋଠ ଦେଖିବା ସାତ ସପନ
ସେବା କରିବାକୁ ସମୟର ଅଭାବ
ନିଜ ଵାପମା ବି ସାତପର
କିଏ ବା ବୁଝିବ କାହାର ଖବର
ଇଣ୍ଟରନେଟ ଜାଲେ ଆମେ ବନ୍ଧା ପରସ୍ପର ।
କିଶୋରୀ ଆଉ ଲେଖୁନି
ପ୍ରେମଚିଠି ଲୁଚାଇ ଲୁଚାଇ
ଚାହିଁବସୁନି ଅନାଇ ଡାକବାଲାକୁ
ବିଦେଶରୁ କେହି ଆସିଲେ
ଧାଡି ଛୁଟୁନି ଲଙ୍ଗଳା ପିଲାଙ୍କର
ଚକଲେଟ ଲୋଭେ
ଗାଁ ଆଜି ମୋର ସହର ସହର ବାସୁଛି
ସହର କିନ୍ତୁ ଏବେ ଧାଉଁଛି ଗାଁକୁ ।
ଭାଙ୍ଗିଯାଉଛି ସଂପର୍କର ମାଟିହାଣ୍ଡି
ଗୋଟିଏ ଛାତ ତଳେ ଅନେକ ଚୁଲି
ନିଜ ରକ୍ତ ବି ପର ହୁଏ
ମୋଡିମାଡି ଭାଙ୍ଗି କାଗଜ ଟୁକୁରା ପରି
ଫୋପାଡିଏ ସମ୍ପର୍କକୁ ନର୍ଦ୍ଦମାରେ ।
ନାହିଁ ଭାଇଚାରା ଏକତା ଆନନ୍ଦପ୍ରମୋଦ
ରାଗ ହିଂସା ମାନ ଆଭିମାନର ପିଇ ଜହର
ସର୍ବେ ଏକାକାର
ସନ୍ଦେହ ଅବିଶ୍ଵାସର ପବନେ
ନଈପଠା କାଶତଣ୍ଡୀ ଭଳି
ମୋ ଗାଁ ଦୋହଲୁଛି ପ୍ରତିକ୍ଷଣେ
ସମୟର ଟିକେ ହାତ ଆଉଁସାରେ ।