ମୋ ଗାଁ
ମୋ ଗାଁ
ସୂରୁଜ ଉଠିଲେ ନାଲି ମୁରୁଜ ପକାଇ
ହସେ ମୋର ଛୋଟ ଗାଁ
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାରି ନାଁ ଯାଜପୁରରେ ମୋ ଗାଁ ।
ପୂରୁବ ଦିଗରେ ହସିଲେ ରବି
ମୋ ଗାଁର ଶୋଭା ଲାଗେ ମନ ଛୁଆଁ
ଶୁଣରେ ମୋର ଭଉଣୀ ଭାଇ ସୂରଡିହ ଏକା ତା ନାଆଁ ।
ନୁହେଁ ସେ ବିଖ୍ୟାତ,ସେ ଏକ ଅଖ୍ୟାତ ପଲ୍ଲୀ
ବିରାଜେ ବିରଜା କ୍ଷେତ୍ର ପାଶେ
ଜାତି ଜାତି କା ଲୋକଙ୍କୁ ନେଇ ମୋ ଗାଁ ଶୋଭା ପରକାଶେ ।
ପକ୍ଷୀର କାକଳି,ମନ୍ଦିରରେ ଘଣ୍ଟି, ଚାରିଆଡେ ଶସ୍ୟ ଶ୍ୟାମଳା
ବାଦ ବିବାଦ,ପ୍ରେମ ବିରହ ,ଭାଇ ଚାରାର କେତେ ରଙ୍ଗରେ ଗୋଳା
ରହିଛି ସାକ୍ଷୀ କେତେ ଦୁଃଖର,କେତେ ଝଡର ନ ହୋଇ ଧର୍ଯ୍ୟ ହରା
ଆମରି ଲାଗି ଖୋଲି ଦେଇଛି ହୃଦୟେ ତାର ପ୍ରକୃତି ରାଣୀର ମେଳା ।
ଗାଁ ଆରମ୍ଭରେ ସୀତା ରାମ ଯୋଡ଼ି
ବଢାନ୍ତି ଶୋଭା ଆମ ଗାଁକୁ
ବାଉଁଶ ବୁଦାକୁ,ବୁଢ଼ା ବରଗଛ
ସ୍ଵାଗତ ଜାଣନ୍ତି ସଭିଙ୍କୁ ନୀତି ମୋ ଗାଁକୁ ।
ଗ୍ରାମ ଦେବତୀ ମୋ ଦେବୀ ଶ୍ୱରେଶ୍ୱରୀ
ସାହା ହୁଅନ୍ତି ବିପଦେ ଆପଦେ ସବୁରି
ପାଖରେ ଥାଇ ମୋ ଗାଁ ମଶାଣି
ହଜିଲା ମୁହଁ,ବିତିଲା ସ୍ମୃତିକୁ ସବୁରି ଆଗେ ଥାଏ ବଖାଣି ।
ଚାଟ ବଦଳେ ଗାଁ ମଝିରେ ଅଛି ମୋ ଛୋଟ ବିଦ୍ୟାଳୟ
ଛୋଟ ସିନା ଲାଗେ ରୂପରେ ଏ ଗଢିଛି କେତେ କିର୍ତିମାନ
ଲଭି ଶିକ୍ଷା ଏଠୁ କେତେ କେତେ ଜନ
ବଢାଇଛନ୍ତି ମୋ ଗାଁର ଯଶ ସମ୍ମାନ ।
ମୋ ଗାଁ ଭାଗବତ ଗାଦି,ମୋ ଗାଁ ଚଉପାଢି
ସକାଳେ ସଞ୍ଜେ ବିଭୁର ପାଶେ ସଭିଙ୍କୁ ଦିଏ ହଜାଇ
ଯାନି ଯାତରେ ମୋ ଗାଁ ଖୁସିରେ ହସେ
ଛୋଟ ଠୁ ବଡ଼,ବୁଢ଼ା ଠୁ ବୁଢ଼ୀ ସଭିଙ୍କୁ ସାଥିରେ ନେଇ ।
ଗାଁରେ ମୋର ଦିଗେ ଉତ୍ତର
ହୋଇଛନ୍ତି ବିଜେ ବାବା ମୁକ୍ତେଶ୍ଵର
ପାଖରେ ଶୋଭେ ମୋ ଗାଁ ବଡ଼ ପୋଖରୀ
ତାହାରି ମାଛ ସ୍ଵାଦରେ ଆହା ପ୍ରିୟ ସବୁରୀ ।
ଗାଁ ଶେଷରେ ମୋ ସୁନ୍ଦରୀ ନଈ ମନ୍ଦାକିନୀ
ବହି ଯାଇଛି କେତେ ଦୂର ଆଙ୍କେଇ ବଙ୍କେଇ
କୂଳରେ ତାରି ପ୍ରଭୁ ଦାହିଖିଆ
ବସିଛନ୍ତି ଭକ୍ତ ବିଶ୍ୱାସ ଅସ୍ଥାକୁ ଜମେଇ ।
ମୋ ଗାଁ ଭିନ୍ନ ନୁହେଁ ସେ ମୋ ମା’
ମୋରି ତୁମରି ସବୁରି ନିଜର ପ୍ରିୟ ଆମରି ଗାଁ
ଜନମି ତା କୋଳେ ଡେଇଁ ଖେଳିଛି କେତେ ହେ ମୋ ଜନ୍ମ ଭୂଇଁ
ମରି ମାଟିରେ ମିଶିବି ତାରି ପାଶେ ବନ୍ଧା ହେଵ ମୋ କୋକେଇ ।
ସୁବ୍ରତ କୁମାର ଜେନା, ଯାଜପୁର
