STORYMIRROR

Santosh Kumar Nayak

Others

4  

Santosh Kumar Nayak

Others

ମୋ ଗାଆଁରେ ବର୍ଷା ହେଲେ

ମୋ ଗାଆଁରେ ବର୍ଷା ହେଲେ

1 min
34

ମୋ ଗାଆଁ ରେ ବର୍ଷା ହେଲେ 


ମୋ ଗାଆଁରେ ବର୍ଷା ହେଲେ

ଆନମନା ହୁଏ ମନ

ଭିଜା ଭିଜା ମାଟିର ଗନ୍ଧରେ,

ମୋ ଗାଆଁରେ ବର୍ଷା ହେଲେ

ପୁଲକିତ ହୁଏ ପ୍ରାଣ

କୃଷକର ଗୀତର ଛନ୍ଦରେ।।


ମୋ ଗାଆଁରେ ବର୍ଷା ହେଲେ

ଦୂର ଦୂର ବ୍ୟାପିଯାଏ

ସଜଫୁଟା ଫୁଲର ମହକ,

ମୋ ଗାଆଁରେ ବର୍ଷା ହେଲେ

ତନ ମନ ଥରିଯାଏ

ଦେଖିଦେଲେ ବିଜୁଳି ଚମକ।।


ମୋ ଗାଆଁ ରେ ବର୍ଷା ହେଲେ

ବିଲହିଡେ ଥିରି ଥିରି

ସାଧବ ବୋହୂ ଟି ଯାଏ ଚାଲି, 

ମୋ ଗାଆଁରେ ବର୍ଷା ହେଲେ

ନାଚିନାଚି କେକୀ ଗାଏ 

ଷଡଜ ସଙ୍ଗୀତ ମନ ଖୋଲି ।।


ମୋ ଗାଆଁରେ ବର୍ଷା ହେଲେ

ହସି ହସି ଭିଜିଯାଏ

ଚୁଲବୁଲି ସୁନ୍ଦରୀ ପ୍ରେମିକା,

ମୋ ଗାଆଁରେ ବର୍ଷା ହେଲେ

ସାହିତ୍ୟିକ ଲେଖନୀରୁ

ଝରିଯାଏ କେତେ ହାତଲେଖା।।


ମୋ ଗାଆଁରେ ବର୍ଷା ହେଲେ

କୁନି କୁନି ପୁଅ ଝିଅ

ତିଆରନ୍ତି ଡଙ୍ଗା କାଗଜର, 

ମୋ ଗାଆଁରେ ବର୍ଷା ହେଲେ

ତୁନି ତୁନି ପ୍ରେମିକଟେ

ଚିଠି ଲେଖେ ପ୍ରେମିକାକୁ ତାର।।


ମୋ ଗାଆଁରେ ବର୍ଷା ହେଲେ

ଝୁମି ଝୁମି ଭ୍ରମର ଟେ

ଘୁରି ବୁଲେ ଫୁଲ ଚାରିପାଖେ,

ମୋ ଗାଆଁ ରେ ବର୍ଷା ହେଲେ

ଅଭିଆଡ଼ି ଚେହେରା ତା'

ବାରମ୍ବାର ଆଇନରେ ଦେଖେ।।


ମୋ ଗାଆଁରେ ବର୍ଷା ହେଲେ

ମାଆ ମୋର ଛାଣିଦିଏ

ସୁଆଦିଆ ବେସନ ପକୁଡ଼ି,

ମୋ ଗାଆଁରେ ବର୍ଷା ହେଲେ

ଗପପେଢି ଖୋଲିଦିଏ

ସଭିଙ୍କର ପ୍ରିୟ ଆଈ ବୁଢୀ।।


ମୋ ଗାଆଁ ରେ ବର୍ଷା ହେଲେ

ଘରେ ଘରେ ଖେଳିଯାଏ

ଅସୁମାରୀ ଆନନ୍ଦ ଲହରୀ,

ମୋ ଗାଆଁ ରେ ବର୍ଷା ହେଲେ

ଯାହା ଅନୁଭବ ହୁଏ

ଜାଣିପାରିବନି ଯେ ସହରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍