ମୋ ଗାଆଁ
ମୋ ଗାଆଁ
ଯାଇଥିଲି ସାଙ୍ଗ ଗାଆଁକୁ ମୋର
ମନେ ପଡେ କଥା ପିଲା ଦିନର
ବଢିଥିଲେ ଆମେ ଗାଆଁ ମାଟିରେ
ଖେଳୁଥିଲେ କେତେ ବଣ ନଟିରେ
ପାଣିରେ ପହଁରି କଲେ ଉଛୁର
ବଡ ଭାଇ କାନ ମୋଡନ୍ତି ମୋର
ଏକଣା ଘରର ରଜା ବିପର
ପ୍ରହଲ୍ଲାଦ ନାଟ ଆଖଡା ଘର
ନିଇତି ସଂଜରେ ଜମେ ଆସର
ମାଷ୍ଟର ମାଡକୁ ସଭିଙ୍କ ଡର
ଡେଙ୍ଗୀ ଧୋବଣୀ ସେ ଆମ ସାହିର
କେଡେ ଆଦର ତା' ନ ମଣେ ପର ।
ରାଉତରା ନଦୀ ନୁହେଁ ସେ ନାଳ
ଆମରି ଗାଆଁ ତା' ଉଭୟ କୂଳ
ମାଟି ପବନ ଓ ତାହାରି ଜଳ
ଗଢିଛି ଏ ଦେହ ମନ ନିର୍ମଳ
ମିଛ ଘର କରି ଚାକୁଣ୍ଡା ମୂଳ
ନିତି ବିଭାଘର ବାଳୁତ କାଳ
ନୂଆବୋଉ ଭାର ଆଣିଲେ ଭଲ
ପିଠାପଣା ଖାଉ ମିଳି ସକଳ
ଆମରି ଇସ୍କୁଲ ଆଗେ ଦେଉଳ
ଛୁଟି ବେଳେ ସାଙ୍ଗ ସହିତ ଖେଳ
କଣ୍ଟେଇ କୋଳି ଓ ତୋଟାର ଫଳ
ତୋଳୁ ସାଙ୍ଗସାଥୀ ହୋଇଣ ମେଳ ।
ବଡ ମାଷ୍ଟରଂକ ଗାଆଁ ଯତନ
କାର୍ଜୀ ବୁଢାଟାର ସରଳ ମନ
ତେଲି ଅନ୍ଧ ଗାଏ ଭଲ ଭଜନ
ମୃଦଙ୍ଗ ସହିତ ଖଞ୍ଜଣି ତାନ
ଛୋଟା ଅରଖିତ ସଭିଙ୍କ ପ୍ରାଣ
ଯୁବା ବୟସରେ ହେଲା ମରଣ
ମହାପୁରୁଙ୍କର ଯାତରା ଦିନ
ବିବିଧ ପସରା ନାନା ଦୋକାନ
ଇସ୍କୁଲ ହତାରେ ରହିଛି ମନ
ଛାଡି ଯାଇଥିଲି ବହି ବସ୍ତାନ
ବୋଉର ଆଦର ବାପାଙ୍କ ଟାଣ
ଦେଇଛି ଆମକୁ ମଣିଷ ପଣ ।
ତେନ୍ତୁଳି ପତର ଲୁଣ ମରିଚ
ମନେ ଅଛି ଗାଆଁ କେରାଣ୍ଡୀ ମାଛ
ଓହଳି ଖେଳାଳି ଶଗଡ ପଛ
ଚଢି ଯାଉ କେବେ ନଡ଼ିଆ ଗଛ
ମୁହଁରେ କି ସାଙ୍ଗ ନିଶ ଖଞ୍ଜିଛ
ଭଙ୍ଗା ଦର୍ପଣରେ ମୁହଁ ଦେଖିଛ
ମୋତେ ଯାହା ସତ ତମକୁ ମିଛ
ମୋ ଗାଆଁ ଜୀବନ ଏମିତି ସ୍ବଚ୍ଛ
ସହରେ ଯେତେକ ଲାଗିଛି ପେଞ୍ଚ
ଗାଆଁଟି ସରଳ ଆଦରେ ବଞ୍ଚ
ଅପରେ ଶରଧା କରମେ ସଞ୍ଚ
ଗାଆଁ ମାଟି ମୂଲ ଶୁଝିବା ପାଞ୍ଚ ।
ପ୍ରସନ୍ନ କୁମାର ମାଦଳା