ମୋ ଗାଆଁ ହସୁଛି
ମୋ ଗାଆଁ ହସୁଛି
ଗାଆଁ ବିଲ ବଣ ପୋଖରୀ ଓ ଘାଟ
ସବୁଠୁ ନିଆରା ଲାଗୁଛି,
ମଳୟ ପବନ ମନଫୁଲା ଗୀତ
ସବୁ ମାଦକତା ଭରୁଛି ।
ବିଭା ବ୍ରତ ଆଉ ପୁଆଣି ଉତ୍ସବେ
ସଭିଏଁ ନାଚନ୍ତି ଖୁସିରେ,
ଭାଇଚାରା ଭାବ ଆପଣା ପଣିଆ
ସବୁ ମିଳେ ଛୋଟ ଗାଁରେ ।
କୁଆଁର ପୁନିଅଁ ରଜ ଉତ୍ସବରେ
କୁମାରୀମାନଙ୍କ ମେଳରେ,
ଗାଆଁ ଦାଣ୍ଡ ଆମ ଭରାଭରା ଲାଗେ
ବଉଳବେଣୀର ଗୀତରେ ।
ଗ୍ରାମ ଦେବୀ ଆଉ ମଠ ଓ ମନ୍ଦିର
ଶୋଭା ବଢ଼ାଏ ମୋ ଗାଆଁର,
ସକାଳ ସଞ୍ଜର ଆଳତୀ ବେଳାରେ
ଧର୍ମ ଭାବେ ହସେ ଗାଁ ମୋର ।
ଗାଆଁର ସମସ୍ୟା ସମାଧାନ ହୁଏ
ଗ୍ରାମପଞ୍ଚାୟତେ ଆମର,
ରାଗ ରୁଷା ଆମେ ଭୁଲିଯାଉ ପୁଣି
ଘଟିଥିଲା ଯାହା ଆଗର ।
ପଖାଳ ପାଣିରେ ଜୀବନଟି ଗଢା
ଆମେ ଯେ ଗାଉଁଲି ମଣିଷ,
ଛନ୍ଦଫନ୍ଦ କିଛି ବୁଝି ଯେ ପାରୁନା
ଓଠେ ଥାଏ ଆମ ଖୋଲା ହସ ।
ବାଡ଼ି ଶାଗ ମୁଗ ଆମ ପ୍ରିୟ ଖାଦ୍ୟ
ମନଟି ଆମର ସରଳ,
ଆମ ମନ ବୁଝି ବନ୍ଧୁଟିଏ ହେଲେ
ତା ପାଇଁ ପିଇବୁ ଗରଳ ।
ବଦଳିଛି ସିନା ଚାଲି ଓ ଚଳଣୀ
ଯୁଗ ସାଥେ ତାଳ ଦେଇକି,
ଆମ ମନ କିନ୍ତୁ ପୂର୍ବ ପରକାର
ରହିଛି ରହିବ ସେମିତି ।
ପ୍ରେମ ପ୍ରିତି ଭାବେ ଥିଲୁ ଅଛୁ ଥିବୁ
ଗାଁ ଆମ ଯେତେ ଦିନ ଅଛି,
ସରଳ ସୁନ୍ଦର ସାବଲୀଳ ଭାବେ
ମୋ ଗାଁ ମନଖୋଲି ହସୁଛି ।