ମୋ ଏନ୍ତୁଡିଶାଳ
ମୋ ଏନ୍ତୁଡିଶାଳ
ସ୍ନେହ ମମତାର ଅଟେ ସେ ମନ୍ଦିର
ବୋଲାଏ ସେ ପୁଣି ଘର,
ଜନମ ଲଭିଲି ଏନ୍ତୁଡିଶାଳରେ
ଘର ମୋ ହେଲା ସୁନ୍ଦର ।
ମାଆଙ୍କର ସ୍ନେହ ବାପାଙ୍କ ଆଦର
ସେଇ ଘର ସ୍ବର୍ଗ ଥିଲା,
ଜେଜେମା କାହାଣୀ ଜେଜେଙ୍କର ସ୍ନେହ
ମନ ମୋର ନେଇଗଲା ।
କେତେ ଅଳି କେତେ ଅରଦଳି ପୁଣି
ସହିଛନ୍ତି ମାଆ ମୋର ,
ବାପାଙ୍କ ଆକଟ ଦାଦାଙ୍କର ଛାଟ
ଲାଗଇ କେତେ ନିଜର ।
ସେଇ ଘର ଥିଲା ସରଗଠୁ ବଳି
ଲାଗଇ ମନ୍ଦିର ସମ ,
ସେ ଘରର ଖୁସି ନମିଳିବ କାହିଁ
ଖୋଜିଲେ ବି ମନ ଆମ ।
ମନ ମୋର ଝୁରେ ସେ ଘର ନିମନ୍ତେ
ସେ ସ୍ନେହ ମମତା ପାଇଁ,
ଦୂରେ ଅଛି ଆଜି ସମସ୍ତଙ୍କ ଠାରୁ
ଯାତନାରେ ଅଛି ମୁହିଁ ।
କେବେ ଯିବି ମୁହିଁ ସେ ଘରକୁ ପୁଣି
ମନ ମୋ ହୁଏ ଉଛନ୍ନ ,
ସେହି ସ୍ନେହ ପ୍ରେମ ପାଇବି କି ଆଉ
ସେ ପାଇଁ ଚିନ୍ତିତ ମନ ।