ମୋ ବାପା
ମୋ ବାପା
ମୋ ବାପା !
ବ୍ରହ୍ମାଣ୍ଡ ଠାରୁ ଆହୁରି ବ୍ୟାପ୍ତ
ଆଲୋକ ଠାରୁ ଢେର ସ୍ବଚ୍ଛ
ଖୁବ୍ ଚଳ ଚଂଚଳ ସ୍ନିଗ୍ଧ ଧାର
ମୋ ନିଃଶ୍ବାସ ଠାରୁ ଆହୁରି ଆତ୍ମୀୟ
ପୂର୍ଣ୍ଣତାର ପୂର୍ଣ୍ଣ କୁମ୍ଭ
ମୋ ବିଶ୍ବାସର ସଶକ୍ତ ଆଧାର
ସୁରକ୍ଷା ବଳୟ
ଏକ ସୁଦୀର୍ଘ ପ୍ରାଚୀର ।
ମୋ ବାପା !
ଏକ ନିର୍ଜୀବ ଶବ୍ଦଟିଏ ନୁହେଁ ,
ଏକ ପୁଲକିତ ଦିବ୍ୟ ଅନୁଭବ
ଅନୁଚ୍ଚାରିତ ଭାବନାର
ପ୍ରଚଣ୍ଡ ପ୍ରକାଶ
ଏକ ମଧୁସିକ୍ତ ଅନୁରାଗ
ପ୍ରଚଣ୍ଡ ଉଚ୍ଛ୍ବାସର ଉଜ୍ଜ୍ବଳ ଆଭାସ ।
ମୋ ବାପା !
ଏକ ବିଶାଳ ସମୁଦ୍ରର ଢେଉ
ଆକାଶର ଝଲମଲ ଦୀପ୍ତି
ପାହାଡ ପରି ଅଟଳ ଅଚଳ
ଧୈର୍ଯ୍ଯର ଏକ ସଶକ୍ତ ଶୃଙ୍ଗ
ଏକ ଅଫୁରନ୍ତ ଶକ୍ତି
ସ୍ବଚ୍ଛ ମାନବିକତାର
ଏକ ସଚଳ ଓ ଉଦ୍ଭାସିତ ମୂର୍ତ୍ତି ।
ମୋ ବାପା !
ବିଶ୍ବରେ ବିଶ୍ବାସୀ ପୁରୁଷ
ପୁଣି ସିକ୍ତ କୋମଳ ନିଶ୍ବାସ ,
ନିରୋଳା ମୁହୂର୍ତ୍ତର
ମୃଦୁ କୋଳାହଳ,
ରକ୍ତ ମାଂସରେ ଗଢା
ଦରଦୀ ମଣିଷ
ଜୀବନ୍ତ ଠାକୁର ।
ମୋ ବାପା !
ବହଳ ଅନ୍ଧାର ମଧ୍ୟେ
ଏକ ଆଲୋକ ବର୍ତ୍ତିକା ,
ମୋ ସୁପ୍ତ ଚେତନାରେ
ଏକ ଜାଗ୍ରତ ପ୍ରତିବିମ୍ବ
ଦୃଢ ମାନସିକତାର
ସତେଜ କଳିକା ।
ମୋ ବାପା !
ମୋ ଦେହର ଛାଇ
ହୃଦୟର ସ୍ପନ୍ଦନ
ମୋ ବିଦଗ୍ଧ ପ୍ରାଣର
ପ୍ରଲେପିତ ଚନ୍ଦନ ,
ଆଖିର ଜ୍ୟୋତି
ଏକ ସ୍ନିଗ୍ଧ ଅପରୂପ କାନ୍ତି ,
ମୋ ଚାଲାପଥର
ସୁରଭିତ ସାଥୀ
ବିସ୍ତାରିତ ଅଦୃଶ୍ୟର ଆସ୍ତରଣ ମଧ୍ୟେ
ଦୃଶ୍ୟମାନ ହେବାର ଏକ
ବଳିଷ୍ଠ ପ୍ରତିଶ୍ରୁତି ।
ମୋ ବାପା !
ଏକ ବିଶାଳ ବୃକ୍ଷର ଛାଇ
ଅମାବାସ୍ୟାର ଚନ୍ଦ୍ର
ସୀମାହୀନ ଅଜଣା ମରୁରେ
ବୁନ୍ଦାଏ ଅମୃତ ,
ମୋ ଜୀବନର କ୍ଷୁଦ୍ର ପରିଧିରେ
ଏକ ଅମୂଲ୍ୟ ରତ୍ନ
ବୈଶାଖୀ ତାତିରେ
ଦଲକାଏ
ଶୀତଳ ପବନ ।।