STORYMIRROR

Kailash Chandra Sahani

Others

4  

Kailash Chandra Sahani

Others

!! ମୋ ବାପା. !!

!! ମୋ ବାପା. !!

2 mins
158

!! ମୋ ବାପା. !!


ମୋ ବାପା ଗୋଟେ ତୁଙ୍ଗ ହିମାଳୟ

ଯିଏ ବିଗଳିତ ଚିରକାଳ

ଯାହା କୋଳରେ ଦିନେ ପଲ୍ଲବିତ ମୋର

ସମସ୍ତ ଆୟୁଷ ....

ମୋ ସଞ୍ଜ ଓ ସକାଳ ।

ମୋ ବାପା ଗୋଟେ ପାଷାଣ ମୂର୍ତ୍ତୀ

ଯାହାର ନିଷ୍ଠୁର ଆଚରଣ ର ଅନ୍ତରାଳେ

ସବୁରି ଅଲକ୍ଷରେ ଝରୁଥିଲା

ଅଫୁରନ୍ତ ପ୍ରୀତି ।


ବାପା ମାନେ ଏତେ ସହଜରେ ଭାଙ୍ଗି ପଡନ୍ତିନି କେମିତି ?

ଯେତେ ଯାହା ଝଡ ବତାସ ର ଘନଘଟା ସତ୍ତ୍ବେ ,

କେମିତି ଦାରୁଭୂତ ମୁରାରୀ ପରି

ଦାଣ୍ଡଘର ପଟା କବାଟ ପରି

ଠିଆ ହୁଅନ୍ତି ସବୁରି ଦୁଃଖରେ ,ଆର୍ତ୍ତ ରେ

କେମିତି ବସାଘର ଟିକୁ ସଜାଡୁଥାନ୍ତି

ନିଜ ଅସହାୟ ନିକମା ହାତରେ !


ମୋ ବାପା ଗୋଟେ ବିଶ୍ବାସ ର ବଳୟରେ

ଦିନେ ନିଃଶ୍ବାସ ଛାଡିଥିଲେ ....

ନିଜ ଦାମ୍ଭିକ ପଣ ର ଦ୍ବାହୀ ରେ

ସତ୍ୟ କୁ ସାମ୍ନା କରୁଥିଲେ ,

ଦୁଃଖ ଦୈନ୍ୟକୁ ନୀଳକଣ୍ଠ ପରି

ପିଇ ଯାଉଥିଲେ ।

ଅଥଚ ଆଜି

ଧର୍ମର ଧ୍ବଜା ଉଡାଇ ନିଜ ପଦାଙ୍କ ଛାଡିଗଲେ ।


ମୋ ବାପା କହୁଥିଲେ -

'ପୁଅ ଯୋଗ୍ୟ ହେଲେ ଧନ ସଞ୍ଚିବି କାହିଁକି ,

ପୁଅ ଅଯୋଗ୍ୟ ହେଲେ ଧନ ସଞ୍ଚିବି କାହିଁ କି ?'

ସେଇ ଯୋଗ୍ୟତାର ମାପକାଠି ରେ ମାପିବାକୁ

କେତେ ନୋଳା ଫାଟିଚି ପିଠିରେ

କେତେ ସକାଳର ଶୈଶବ ମୋର

ବିଳପି ଉଠିଚି ,

ଗୋଟେ ମାଟି ପିଣ୍ଡୁଳାକୁ ମଣିଷର ରୂପ ଦେବାକୁ ଗଲା ବେଳେ

ମୋ ବାପାଙ୍କ ନାଲି ଆଖିରେ

ଲୁହ ଛଳ ଛଳ ହେବାର ମୁଁ ଦେଖିଛି  !


ମୁଁ ଦେଖିଚି ମୋ ବାପାଙ୍କ ସାଥୀରେ

ଗୋଟିଏ ଥାଳିରେ ଖାଇଲା ବେଳେ

ସେ କେମିତି ମୋ ଆଡକୁ ଭାତ ଠେଲୁଥାନ୍ତି

କେମିତି ମାଂସ ତରକାରୀରୁ

ଆଳୁତକ ଖାଇଦେଇ ମୋ ପାଇଁ ମାଂସ ଛାଡି ଯାଆନ୍ତି ।କାରଣ ସେ ମୋ ବାପା ।

ପୁନେଇ ପରବରେ ନୂଆ ଜାମା କିଣି

ନିଜେ କେମିତି ପୁରୁଣାରେ ଚଳେଇ ନିଅନ୍ତି ।


ମୋ ବାପା ଗୋଟେ ବିଶ୍ବାସ ଆମର

'ବାପ ଥିଲା ପୁଅ ସଭାରେ ହାରେନି'

ସେଇ ବିଶ୍ବାସରେ ମୁଁ ସତେ ଯେମିତି ଗଡ ଜିତୁଥିଲି

ନିଜ ଚଲା ପଥରେ କାହାର ଛାଇ ଅନୁଭବ କରୁଥିଲି ।

ଆଜି ମୋ ବାପା ପାଞ୍ଚବର୍ଷ ତଳୁ ସ୍ବର୍ଗରେ ....

ବାପ ଛେଉଁଣ୍ଡ ମଣିଷ

ପକ୍ଷହୀନ ପକ୍ଷୀଟିଏ

ବାପା ମାନେ ଦିଗବାରେଣୀ ଆମ ଜୀବନର ।

ହେ ଅଧମ ପୁଅ ମାନେ...

ଯିଏ ଜରା ଆଶ୍ରମରେ ଛାଡିଆସିଛ ତୁମ

ଇତିହାସ

ତୁମ ରକ୍ତ ମାଂସର ପିଣ୍ଡ ଦାତା ଈଶ୍ବର ଙ୍କୁ

ଥରେ ଦେଖିଆସ

ଏବେ ବି ପରଳଲଗା ଆଖି ତଳେ ସେଇ ଲୁହ

ଯାହା ତୁମରି କଲ୍ୟାଣ ନିମନ୍ତେ ବିଭୁ ପାଖେ ସମର୍ପିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍