ମନ୍ତ୍ର
ମନ୍ତ୍ର
କିଛି ଗୋଟେ ଲେଖିବାକୁ ଚାହୁଁଥିଲା ପାରମିତା
ତୁମ ପରି
ବୋଧହୁଏ ତୁମ ଅଂଶ ବୋଲି
କିଛି ଗୋଟେ ନୁଆ କବିତା
ତୁମକୁ ମାଗୁଥିଲା
ଭିତରର ଅନ୍ଧକାରରେ ।
କିଛି ଖୋଜୁ ଖୋଜୁ , ପହଞ୍ଚି ଗଲା
କେଉଁ ଏକ ଅଜଣା ବସ୍ତିରେ
ଯେଉଁଠି ବିଛାଡି ହୋଇ ପଡ଼ିଥିଲା
ମୁଠାଏ ନିଃଶବ୍ଦତା ।
କିଛି ମଧୂର ଧ୍ବନିର ଖୋଜାଣ
ବସନ୍ତ ଦୂତର
ସୁକ୍ଷ୍ମ ଗୁଞ୍ଜନର ଢେ଼ଉ ସହ ପୁଲକ
ନୂଆ ରଚନାର
ସୁନା ହରିଣ ଶବ୍ଦ ଗୁଡିକ
ସଜ୍ଞାଶୂନ୍ୟ ପରି ଦଉଡୁ ଥିଲେ
ସେ ବି ଥିଲା ତାଙ୍କ ପଛରେ
ବ୍ୟସ୍ତତାର କ୍ଷତ ବିକ୍ଷତ
ସ୍ବୀକାରୋକ୍ତି।
କେତେ ଗୁଡିଏ ଶବ୍ଦକୁ
ଧରି ପାରିବାର ସ୍ଥିରତା ସହ ନେଇ ଆସିଲା
ପାରମିତା, ତୁମ ପାଖକୁ
ଚାହୁଁ ଚାହୁଁ ସେ ଶବ୍ଦ ଗୁଡିକ
ଆଉ ଶବ୍ଦ ହୋଇ ନ ଥିଲେ
ପାଲଟି ଯାଇଥିଲେ ମନ୍ତ୍ରରେ
ହୁଏତ ତୁମେ ଛୁଇଁ ଦେଲା ପରେ।