ମନସ୍କାମ
ମନସ୍କାମ
ମୁଁ ଯଦି ସୁମନ ହୋଇ ମଧୁବନ
ଭିତରେ ଯାଆନ୍ତି ଫୁଟି
ମୂରଲୀର ତାନେ ମୁଗ୍ଧ ଅବସ୍ଥାନେ
ସୁଗନ୍ଧ ଯାଆନ୍ତା ଛୁଟି ।
ତୋଳି ରାଧାରାଣୀ ଗୁନ୍ଥି ବେଣୁପାଣି
ଗଳାରେ କରନ୍ତେ ହାର
ଲଭିଥାନ୍ତି ଶାନ୍ତି ଦେଖି ମୁଖକାନ୍ତି
ଗୋପାଙ୍ଗନା ସୁରମାର ।
ସୁମଧୁର ଫଳ ରୂପରେ ସଫଳ
ହୋଇଯାନ୍ତି ଭରି ରସ
ସୁଖେ ବିମ୍ବାଧର କରନ୍ତେ ଆଦର
ପାଆନ୍ତି ପାବନ ସ୍ପର୍ଶ ।
ଗୋପିକା ବିଶାଖା ନିଶ୍ଚେ ମୋର ଶାଖା
ସ୍ୱହସ୍ତେ ନିଅନ୍ତା ଭାଙ୍ଗି
କୃଷ୍ଣେ ଧରି କୋଳେ ରସି ପ୍ରେମଭୋଳେ
ବିଞ୍ଚିଥାନ୍ତା କୋମଳାଙ୍ଗୀ ।
ହେଲେ ଅବିରଳ ଯମୁନାର ଜଳ
ଧୋଇ ପାରିଥାନ୍ତି ପାଦ
ସର୍ବେ ହୋଇ ମେଳି କରିଥାନ୍ତେ କେଳି
ଫେଡାଇ ମୋ' ଅବସାଦ ।
ବନପକ୍ଷୀ ଯଦି ହୋଇଥାନ୍ତି ନଦୀ
ନିକଟରେ ନୀଡ଼ ରଚି
ଦେଖି ମନୋରମ ରାସେ ସମାଗମ
ଆନନ୍ଦେ ପାରନ୍ତି ବଞ୍ଚି ।
ଯଦି ମଧୁପୁର ବଜାରେ ନୂପୁର
ଭାବେ ଥାନ୍ତି ଉପଲବ୍ଧ
ବାଜନ୍ତି ଆହ୍ଲାଦେ ବ୍ରଜବାଳୀ ପାଦେ
କରି ରୁଣୁଝୁଣୁ ଶବ୍ଦ ।
ଗୋପଦାଣ୍ଡେ ଧୂଳି ହୁଅନ୍ତେ ଉଛୁଳି
ହରଷେ କାଟନ୍ତି ଦିନ
ତାଙ୍କ ଖେଳକୁଦେ ପାଇଥାନ୍ତି ହୃଦେ
ଦୁର୍ଲ୍ଲଭ ପୟର ଚିହ୍ନ ।
ପରଖି ମନରେ ଶ୍ରୀବୃନ୍ଦାବନରେ
ଏତେ ସରି ଗୁଣଗ୍ରାମ
ପ୍ରାଣର ତର୍ପଣେ କୃଷ୍ଣ ସମର୍ପଣେ
ପୂର୍ଣ୍ଣ ହେଉ ମନସ୍କାମ ।
