ମନସ୍ଵିନୀ
ମନସ୍ଵିନୀ
ମନେ ମନେ ସବୁ ସହିଯାଏ ମନସ୍ଵିନୀ
କେଜାଣି କଣ ଭାବି ଚୁପ ରହିଯାଏ ମନସ୍ଵିନୀ |
ରୁଧିର, ମେଦ, ମାଂସ, ଅସ୍ଥି, ହୃଦୟ,
ସବୁ ଏକା କାର କରି ସମର୍ପଣ ସ୍ରୋତରେ
ସାନ୍ତ୍ୱନା ଦିଏ ନିଜକୁ ମନସ୍ଵିନୀ |
ପ୍ରଶ୍ନ କରେ ନିଜକୁ
ସେ ନିଦ୍ରିତା ନା ଜାଗ୍ରତା,
ସ୍ୱପ୍ନରେ ନା ବାସ୍ତବ ,
ନା କେଉଁ ଏକ ମାୟାରେ ବନ୍ଦିନୀ ମନସ୍ଵିନୀ |
ଜୀବନ ରଚେ ତା ପାଇଁ ଯନ୍ତ୍ରଣାର ଜତୁ ଗୃହ,
ସମୟ ଥାପିଦିଏ ଅଭେଦ୍ୟ ଚକ୍ର ବ୍ୟୁହ,
କେବେ କେବେ ଆନମନା ହୁଏ ମନସ୍ଵିନୀ|
ଅନୁତାପର ବିମର୍ଷ ଅରଣ୍ୟରେ
ନିର୍ଜନତାର ତନ୍ଦ୍ରିତ ଆର୍ତ୍ତନାଦରେ,
ରାଗ ବୈରାଗ୍ୟ ର ତିନି କାଳ,
ଧୋଇଦିଏ ତାର ବିଷାଦର ବିମୁକ୍ତ କପାଳ |
ତଥାପି ମନସ୍ବିନୀ ପ୍ରତିଶୃତି ବଦ୍ଧ
ପରିସ୍ଥିତି ନିକଟେ ପରାଜୟ
ଅବା ଆତ୍ମସମର୍ପଣ ନୁହିଁ ତାର ଅନ୍ତିମ ନିର୍ଣ୍ଣୟ
ସେଥିପାଇଁ ତ ସେ ଓଜସ୍ୱିନୀ, ତେଜସ୍ୱିନୀ
ସଫଳ ମନସ୍କା ପ୍ରବ ହ ମାନା ସ୍ରୋତସ୍ୱିନୀ |
