ମଣିଷପଣିଆ ଆମ ଯାଇଛି ହଜି
ମଣିଷପଣିଆ ଆମ ଯାଇଛି ହଜି
ମଣିଷପଣିଆ ଆମ
ଯାଇଛି ହଜି
ମାନବିକତାକୁ ଏବେ ଆମେ
ପାଉନେ ଖୋଜି
ସ୍ଵାର୍ଥ ଆଉ ଅର୍ଥ ପଛେ
ଆମେ ଧାଇଁ ଧାଇଁ
ରୋଗଗ୍ରସ୍ତ, ଚିନ୍ତାଗ୍ରସ୍ତ
ସମଗ୍ର ମାନବ
ଆମେ ହୋଇଛେ ଭାଇ ।
କେ କାହାର ନୁହେଁ ଏଠି
ଅର୍ଥ ରୋଜଗାର
କେବଳ ହୋଇଛି
ଜୀବନର ମାପକାଠି
ମଣିଷ ପାଲଟିଛି ଯନ୍ତ୍ର ଏବେ
ଏ ମଣିଷ କାହା କଥା
କେହି ଯେ ନ ଭାବେ ।
ସଭ୍ୟ ମଣିଷର ଶିକ୍ଷା ଓ ସଭ୍ୟତା
କ'ଣ ଶିଖାଉଛି
ଆପଣେଇବାକୁ ସ୍ଵାର୍ଥପରତା
ପର ନିନ୍ଦା ପର ଚର୍ଚ୍ଚାରେ
ଚାଲେ ଏ ଦୁନିଆଁ
ଚତୁର୍ଦ୍ଦିଗେ ହିଂସା, ବାଦ,
ପରଶ୍ରୀକାତରତାର ନିଆଁ ।
ମଣିଷର ଅମାନବୀୟ ଗୁଣ ପାଇଁ
ଭୋଗେ ଏ ମଣିଷ ଜାତି
ରୋଗ, ଶୋକ, ଦୁଃଖ
କେତେବେଳେ ବିଜ୍ଞାନକୁ ଦିଏ ଦୋଷ
କେବେ ପୁଣି ଧର୍ମ ପ୍ରତି ହୁଏ ବିମୁଖ ।
ଶାନ୍ତି, ପ୍ରୀତି, ମୈତ୍ରୀ ଠାରୁ
ଯାଏ ସେ ଦୂରେଇ
ହିଂସା, ବାଦେ ଭାଇ ମୁଣ୍ଡ
କାଟେ ପୁଣି ଭାଇ
ସଂସାର ମାୟାରେ ଏ ମଣିଷ
ହୋଇ ବିମୋହିତ
ଭୁଲିଯାଏ ସେ ଯେ ତା'ର
ଜ୍ଞାନ ହିତାହିତ ।
ଚିନ୍ତେ ନାହିଁ କି ଭାଳେ ନାହିଁ
ତାଙ୍କ ଭବିଷ୍ୟତ ବଂଶଧର କଥା
ବର୍ତ୍ତମାନରେ ବିଶ୍ଵାସ କରୁଛି ଏବେ
ଖାଲି ଏ ମଣିଷ ଜାତିଟା ।
ଖଣି, ଖାଦାନ, ଜଳ, ଜମି,
ଜଙ୍ଗଲ, ପାହାଡ
ସବୁ ଲୁଟେ ସବୁ କାଟେ
ସ୍ଵାର୍ଥ ପାଇଁ ସବୁ ଭୁଲି
ଧ୍ଵଂସ କରି ପରିବେଶ
ରଚାଏ ସେ ହାହାକାର ।
ବୁଦ୍ଧି,ବିବେକ, ଜ୍ଞାନର
କରି ଅପବ୍ୟବହାର
ଦୁନିଆଁ ଟାକୁ କରୁଛି ଏ ମଣିଷ
ଖାଲି ଛାରଖାର
ବିଜ୍ଞାନକୁ ଦିଏ ଦୋଷ
ଆଜି ଏ ଦାନବ ରୂପୀ ମଣିଷ
ବିଜ୍ଞାନ କ'ଣ କହୁଛି ଧ୍ଵଂସିବାକୁ
ସ୍ଵ ପରିବାର ଓ ପରିବେଶ ?
ପୁଞ୍ଜିପତି ହେବାର ନିଶା
ଘାରିଛି ଏ ମଣିଷ ଜାତିକୁ
ସେ ପାଇଁ ସାଥୀ କରିଛି
ଗୁଳି, ଗୋଳା, ବନ୍ଧୁକ,
ଛୁରୀ ଆଉ କାତିକୁ ।
ଭୁଲିଛି ମଣିଷ ତା'ର
ନୀତି ଆଉ ଆଦର୍ଶ
ଅହରହ ବୁଣୁଅଛି
ଅନ୍ୟାୟ, ଅନୀତି,
ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଷ
ଦିନୁଁ ଦିନ ସମାଜ ହୁଏ କଳୁଷିତ
ନାନା ଦୁରାରୋଗ୍ୟ
ଏ ଜାତିକୁ କରେ କବଳିତ ।
ବନ୍ୟା, ବାତ୍ୟା,
ପ୍ରାକୃତିକ ବିପର୍ଯ୍ୟୟେ
ଧରା ହୁଏ ପ୍ରକମ୍ପିତ
ତଥାପି ଏ ମଣିଷ ଜାତିଟା
ନ ଛାଡେ ତା'ର ସ୍ଵାର୍ଥ
ସ୍ଵାର୍ଥେ ଅନ୍ଧ ହୋଇ
ବିବେକ ଶୂନ୍ୟ ହୁଅଇ
ଦ୍ଵନ୍ଦ୍ଵ, ଯୁଦ୍ଧ, ସଂଘର୍ଷେ
ଯାଇଅଛି ମାତି
ରଖୁ ନାହିଁ ତା' ଆଦର୍ଶ
ରଖୁନି ତା' ନୀତି ।
ଭଲ ମନ୍ଦର ବିଚାର
ନ କରେ ଆମେ ଆଜି
ମଣିଷ ବୋଲି କହୁଛେ ନିଜକୁ
ହେଲେ ମଣିଷ ପଣିଆ
ଆମ ଯାଇଛି ହଜି
ମାନବିକତାକୁ ଆମେ
ପାଉନେ ଖୋଜି
ପ୍ରତିଯୋଗିତାରେ ଆମେ ସଭିଏଁ
ଯାଇଅଛେ ମଜ୍ଜି
ଅଶାନ୍ତି, ଅବିଶ୍ୱାସ ଓ
ବିଶୃଙ୍ଖଳା ମଧ୍ୟେ
ଗତି କରେ ଆମ ଜୀବନ
ଜୀବିକା ତଥା
ପରିବାର ଓ ପରିବେଶ ଆଜି
ସତେ ମଣିଷ ପଣିଆ ଆମ ମଧ୍ୟୁ
ଯାଇଛି ହଜି ।
