ମନକଥା ଦିନେ କହିବି ଯାଇ
ମନକଥା ଦିନେ କହିବି ଯାଇ
ମନଖୋଲି ଦିନେ କହିଲି ଜହ୍ନକୁ
ଆସିବକି ଥରେ ପାଶେ ମୋହର,
ତୁମ ସାଥେ ମିଶି ବୁଲିଯିବି ମୁହିଁ
ମୋର ରଜାଅଛି ଦୂର ଦେଶର।
ଅଭିମାନ କରି ଯାଇଛି ଯାଇଛି
ଆସୁନି କି ମନେ ଭାବୁ ବି ନାହିଁ।
ଦିବାନିଶି ଖାଲି ମନେ ପଡେ ସେହି
କେମିତି ମୋତେ ସେ ଭୁଲନ୍ତି ରହି।
ତାରାମେଳେ ବସି ତାରାଙ୍କୁ ଅନାଇ
କହିଲି ଯାଇ ମୁଁ ମୋ ମନ କଥା,
କେମିତି ମନର ରାଜକୁମାରଙ୍କୁ
ତୋଷି ହାରିବି ମୁଁ ତାଙ୍କରି ବ୍ୟଥା।
ଚିକ୍ ମିକ୍ ଚିଜ ଦେଇ ହାତରେ ମୁଁ
ମନେଇ ନେବି ତ ସାରା ଜନମ,
ଆପଣାର କରି ଆପଣା ବନ୍ଧନେ
ବାନ୍ଧି ରଖିବି ଯେ କରି କରମ।
ସାଗର ପାଖରେ ଅସରା ଲୁହର
ପସରାକୁ ମୋର ମେଲି ଥୋଇଲି,
ତୁମ ଗରଭର ସାଇତା ମୁକୁତା
ଉପହାର ଦେବି ଦିଅ କହିଲି।
ସେ ମୁକ୍ତାକୁ ରଖି ହୃଦୟ ମନ୍ଦିରେ
କରିନେବି ସାରା ଜୀବନମାଳୀ,
ଦୂର ରାଇଜରୁ ମୋ ରାଜକୁମାରଙ୍କୁ
ସୁଖଖୁସି ଦେଇ କରିବି ଗଳାରମାଳି।
ଦିଗ୍ ବଳୟ ପାଶେ ଅନୁନୟ ହୋଇ
କହିଲି ଟିକିଏ ଦେବକି ଜାଗା,
ସୁନ୍ଦର ଭାଲେରୀ ରୂପର ଜାଦୁରେ
କରିଦେବ ସତେ କେଡେ ସୁଭାଗା।
ଜୀବନର ସବୁ ଯାତନାକୁ ପିଇ
ସୁଖ ଖୁସି ତାଙ୍କ ଅଞ୍ଜଳିରେ ଢାଳି,
ସନ୍ତୋଷ ହୋଇବେ ପୂର୍ବ ସ୍ମୃତି ସ୍ମରି
ଫେରି ଆସିବେ ମୋ ଦୁଃଖିସଂଖାଳି।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର।
୭୯୭୮୨୭୧୭୨୮