ମନେରଖ ଏ' ବାର୍ତ୍ତା
ମନେରଖ ଏ' ବାର୍ତ୍ତା
ଦିନକ କଥା ଘୁରିଲା ମଥା
ଯେତେକ ପଶୁ, ପକ୍ଷୀ ,
ବସି ଭାବିଲେ କଣ କରିଲେ
ଚେତିବ ମଣିଷଟି ।
ଜଙ୍ଗଲ କାଟି ତାଡ଼ିକି ମାଟି
ସବୁ କରିଲା ସଫା ,
ଏ' ମଣିଷକୁ କରିବା ପଙ୍ଗୁ
କରିବା ରଫା ଦଫା ।
ଆସିଲା ହାତୀ ମାଙ୍କଡ ସାଥୀ
ମଣିଷ ପାଶେ ଯାଇ ,
କହିଲେ କିଆଁ ଭାଙ୍ଗ ଦୁନିଆଁ
ବଞ୍ଚିବୁ କଣ ଖାଇ ?
ମହୁଲ ପାଇଁ ନିଆଁ ଲଗେଇ
ସବୁତ ଦେଲ ସାରି ,
ପେଟେ ଆମରି ମାରୁଛ ଛୁରୀ
ଖାଉଛ ମାରିକରି ।
ଜଙ୍ଗଲ ଗଲା ପାଗ ନାଶିଲା
ଏବେ ବଢୁଛି ତାତି ,
ପ୍ରକୃତି ଦାଉ କିପରି ସହୁ
ଭାବିଛ ମଣିଷ ଜାତି ??
ବଣ କାନ୍ଦୁଛି ନମିଳେ କିଛି
ବଞ୍ଚୁ ଅଖାଦ୍ୟ ଖାଇ ,
ବଣ ତ' ନାହିଁ ସହର ପାଇଁ
ମାରୁଛ ବସି ହାଇ ।
ଦିନ ଆସିବ ଏମିତି ହେବ
ରହିବେ ନାହିଁ କେହି ,
ନା' ଥିବ ତୁମେ ନା' ଥିବୁ ଆମେ
ନା' ରହିବ ଏ' ମହୀ ।
ଶୁଣି ଏ' କଥା ଘୂରିଲା ମଥା
କୁନା, କୁନିର ପୁଣି ,
ପାଠୁଆ ପିଲେ ଶପଥ କଲେ
ମିଶି ଭାଇ, ଭଉଣୀ ।
ଏକାଠି ହେଲେ ରୋପଣ କଲେ
ଜାତି ଜାତିକା ଗଛ ,
ମାଙ୍କଡ, ହାତୀ ନକରି ଭିତି
ଖୁସିରେ କଲେ ନାଚ ।
ଜନତା ମିଳି ମାରିଲେ ତାଳି
କହିଲେ ସତ କଥା ,
ପ୍ରଥମ କାମ ଏଇଟା ଆମ
ମନେରଖ ଏ' ବାର୍ତ୍ତା ।