ମନବଡ ଦାଣ୍ଡ
ମନବଡ ଦାଣ୍ଡ
ଶରୀର ରଥକୁ ମନ ବଡଦାଣ୍ଡ
ଶ୍ରଦ୍ଧା ସହକାରେ କରି
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ
ଦେଖିବା ନୟନ ଭରି।।
ହୃଦୟ ମନ୍ଦିରେ ଚିନ୍ତା ଚେତନାରେ
ଆତ୍ମାରୁ ନିଷ୍ଠା ଭାବରେ
ଭକ୍ତିର ନୈବେଦ୍ଯ ଅର୍ପଣ କରିବା
ରହି ଆମେ ନିଜ ଘରେ।।
କାଳିଆ ସାଆନ୍ତ କମଳାଙ୍କ କାନ୍ତ
କରୁଣାକର ଶ୍ରୀହରି
କର ଯୋଡି ଦୁଃଖ ଜଣାଇବା ତାଙ୍କୁ
ନାମ ତାଙ୍କ ଜପ କରି।।
ବିଶ୍ବ ଆତ୍ମା ସେହି ବ୍ଯାପ୍ତ ସାରାବିଶ୍ବେ
ଆଦି,ଅନାଦି, ଅନନ୍ତ
ଲୀଳାମୟ ପ୍ରଭୁ ଭାବ ବିନୋଦିଆ
ହୃଦ ପିପାସା ର ଅନ୍ତ।।
ମମତାରେ ସିକ୍ତ ଆତ୍ମ ବିସ୍ମୃତିରେ
ଭକତ ହୋଇ ତଲ୍ଲୀନ
ମନ ବଡଦାଣ୍ଡେ ଏକାକାର ହେବା
ହୋଇ ଏକ ପ୍ରାଣ ମନ।।
ଆତ୍ମାକୁ କରିବା ଆଡପ ମଣ୍ଡପ
ଭାବରେ ମାଉସୀ ଘର
ଆମ ପରମ୍ପରା ବଜାୟ ରଖିବା
କରି ବିଧି ଉପଚାର ।।
ଘୋଷ ଯାତ୍ରା ଆମେ ପାଳନ କରିବା
ଅନୁଭବ ହୃଦୟରେ
ସଂସ୍କୃତି ବାରତା ଦେବା ଦୁନିଆକୁ
ମର୍ଯ୍ଯାଦା ସହ ମନରେ ।।
ଶରୀର ରଥକୁ ମନ ବଡଦାଣ୍ଡ
ଆମ ସ୍ପନ୍ଦନରେ ଭରି
ଭାବ ଆବେଗରେ ରଥ ଟାଣି ନେବା
ଲୟରେ ଗୁହାରି କରି ।।
