ମନ ଅମାନିଆଁ
ମନ ଅମାନିଆଁ
ବାମନ ଚନ୍ଦ୍ର ଦୀକ୍ଷିତ।
ଏ ମନ ଅମାନିଆଁ କିଛି ବି ମାନେନା
ବୁଝି ଅବୁଝା ହୁଏ ଜାଣି ଅଜଣା
ଅଳି କରେ ଅଝାଟିଆ ପିଲା ପରି
ରାହା ଧରି କାନ୍ଦେ କେବେ କେବେ
ପୁଣି ସକେଇ ସକେଇ କେବେ
ଛାତିର ସ୍ପନ୍ଦନ ବଢିଯାଏ ଯେବେ
କାନ୍ଦେ ସ୍ୱର ତୋଳି ଧକେଇ ଧକେଇ।
କେବେ କିଛି ଶୂନସାନ ବିରାମ ଆସି
ସାଉଁଳେଇ ଦିଅନ୍ତି ନିଶବ୍ଦ ନୀରବତା ତଳୁ
ଶାନ୍ତ ହୋଇଯାଏ ଏ ଅଝଟ ଅବୁଝା
ଶୋଇ ଯାଏ ଅନାୟାସେ ସେମିତି
ଧକେଇ କାନ୍ଦୁ କାନ୍ଦୁ ଶୋଇ ଯାଏ
ଅଝାଟିଆ କୁନି ପିଲା ଯେମିତି।
ଯେତେ ଚାହେଁ ରଖିବି ଆୟତ୍ତେ
ଜିଦ୍ଧି ଅଝାଟିଆ ମୋ କଥା ଶୁଣେନା,
ଏ ମନ ଅମାନିଆଁ କିଛି ବି ମାନେନା।।
ସାନ୍ତ୍ୱନା ଅନେକ ଆସନ୍ତି ଯେବେ
ବହୁ ଅତ୍ମୀୟତା ଭରା ଆଖି ତଳୁ
ଅବା କେଉଁ ସହାନୁଭୂତି ଜଡ଼ା ସମ୍ପର୍କ ଠୁଁ
ଆହୁରି ଅବୁଝା ହୋଇ ଯାଏ ଏ ମନ,
ବହିଯାଏ ଅନର୍ଗଳ ବେଦନା ସମସ୍ତ
କ୍ଳେଶ ବେଦନା ସବୁ ଧୋଇ ଯିବା ଯାଏ
ପୁଣି ଶାନ୍ତ ଘନ ବୃଷ୍ଟିପାତ ପର ଧରିତ୍ରୀ ସମାନ
ଏକଦମ ନିର୍ମଳ ଶାନ୍ତ ନିର୍ବିକାର ରୂପ।
ସବୁ ଜାଣି ଅଜଣା,ସବୁ ବୁଝି ଅବୁଝା ଏ ମନ
ସାମାନ୍ୟ ଆଘାତେ କେବେ ଖଣ୍ଡ ବିଖଣ୍ଡିତ
ପୁଣି କେବେ ଅଜସ୍ର ପ୍ରତିଘାତ ଭେଦି
ସମୟ କୁ ଲଙ୍ଘିବାର ପ୍ରଚଣ୍ଡ ପ୍ରତିଜ୍ଞା।
ଆବେଗ ର ବେଗେ ବହେ ବନ୍ଧନ ଜାଣେନା।
ଏ ମନ ଅମାନିଆଁ କିଛି ବି ମାନେନା।
ଏକ ଆଶା ମରିଯାଏ ଜଳେ ଜୁଇ ଯେବେ
ଆନ ଏକ ମୋଡ ଦେଇ ରାସ୍ତା ବଦଳେଇ
ଲକ୍ଷ୍ୟ ଭେଦିବାର ସମସ୍ତ କ୍ଷମତା ସମ୍ପନ୍ନ
ମାତ୍ର ଏ ମନ ମରେ ମରଣ ସହିତ।
ଜୁଇ ର ପାଉଁଶ ଉଡ଼ି ମୁକ୍ତ ଆକାଶ ରେ
ଦୃଷ୍ଟି ବଳୟ ସେପଟେ ଅଦୃଶ୍ୟ ହେବା ପରେ
ଆଖି ମଳି ଦେଖେ ଯେବେ ଉଦାସ ନୟନେ
ପଛରେ ପଡି ଯାଇଥିବା ଉଦ୍ୟମ ସବୁକୁ
ସାଉଁଟୂ ସାଉଁଟୂ ଜନ୍ମ ନିଏ ଭିନ୍ନ ଏକ ଆଶା
ପୁଣି ସେହି ଅନ୍ୱେଷଣେ ବ୍ୟଗ୍ର ବ୍ୟସ୍ତ ମନ
ମୃଗତୃଷ୍ନା ଅବା ଜଳ ଧାରା କିଛି ସେ ଜାଣେନା
ଏ ମନ ଅମାନିଆଁ କିଛି ବି ମାନେନା।।
***************************
