ମମତାର ମୂଲ
ମମତାର ମୂଲ
ଗୋଟେ ଅକ୍ଷର ନୁହେଁ
ସେ ଏକ ପ୍ରତିଧ୍ଵନି
ଛାତିରେ ଖେଳାଏ କମ୍ପନ
ଥରେ ଉଚ୍ଚାରିତ ହେଲେ
ମାଟିରୁ ଆକାଶ ଯାଏଁ
ସଂଚରିଯାଏ ଏକ ଦିବ୍ୟଅନୁଭବ ।
କି ଯାଦୁ ଥାଏ କେଜାଣି ସେ ନାମେ
ସବୁ ଦୁଃଖ ପୋଛିହୋଇଯାଏ
ଆପେ ଆପେ ତା ପଣତକାନିରେ
ସଂସାରର ଯେତେ ଥକାପଣ
ଦୂରେଇଯାଏ ନିମିଷେକେ
ଶୋଇଗଲେ ମୁଣ୍ଡ ରଖି ତା କୋଳେ ।
ଜହ୍ନ ଠାରୁ ଶୀତଳ ଫୁଲଠୁ କୋମଳ
ଛଳ ଛଳ ମମତାର ସିନ୍ଧୁଟିଏ
ଖାଲି ସେ ଦେଇଜାଣେ ଅନ୍ୟକୁ
ପାଇବାର ଆଶା କେବେ ରଖି ନ ଥାଏ ।
ସାହାଣମେଲା ତା ସିଂହଦ୍ଵାର
ଖାଲିହାତେ କେହି କେବେ ଫେରିନି
ଆଖିର ଲୁହ ଛାତିର କୋହକୁ
ଦେଖାଇଦିଏନି ସେ କାହାକୁ
ନିଜେ ମେରୁଖୁଣ୍ଟି ସାଜି
ଘୁରୁଥାଏ ନିଜେ ନିଜ ଚାରିପଟେ
ସ୍ଵାର୍ଥ ନ ଥାଏ ମନେ କାଣିଚିଏ ।
ରାତିରାତି ଉଜାଗର ଯାହାପାଇଁ ସେ
ହାତ ଧରି ଶିଖାଇଛି ମାଟିପରେ ଚାଲି
ପାପ ପୂଣ୍ୟ ସତମିଛ ଦିନରାତିର ଫରକ
ସବୁକିଛି ଜାଣିବାପରେ
ଆଜିକାହିଁ ଭୁଲିଯାଉଛି ତାକୁ ।
ଅଲୋଡା ଅଖୋଜା ହୁଏ ବଢିଗଲେ ବୟସ
ଜରାଶ୍ରମେ ଛାଡି ମୁକ୍ତ ହୁଏ
ପରିବାରେ ଲାଗେ ବୋଝ
ପିଲାଦିନେ ପିଠି ଥାପୁଡାମାନ
ବାଜୁଛି ଏବେ
ଗାଲେ ଚଟକଣି ହୋଇ ତାର
କେହି ବୁଝିଲେନି ଥରେ ତାର ମମତାର ମୂଲକୁ।
