STORYMIRROR

Antaryami Sahu

Others

3  

Antaryami Sahu

Others

ମମତାମୟୀ ଜନନୀ

ମମତାମୟୀ ଜନନୀ

1 min
181


କୃପାର ଭଣ୍ଡାର ମାଆର ଉଦର

   ସେ ଉଦରେ ଦେଲା ବାସ,

ଦଶମାସ ଦଶ ଗଣିସେ ଦିବସ

  ସହ୍ୟ କରି ଭୋକ ଶୋଷ ।୧।


ବଢ଼େ ଦିନୁ ଦିନ ଉଦର ଗଠନ

  ଯନ୍ତ୍ରଣା ହୁଅଇ ବେଶୀ,

ପୃଥିବୀ ପଣରେ କଷଣ ସହେରେ

  ସହନଶୀଳ ପ୍ରକାଶି । ୨।


କେତେ ନାତ ଖାଏ ଜ୍ୱାଳା ଦୁଃଖ ସହେ

    ତଥାପି ରଖେ ଉଦରେ ,

କଷ୍ଟ ହୁଏ ବୋଲି ନ ଭାବେ ବାଚାଳୀ

    ସନ୍ତାନ ପ୍ରାପ୍ତି ଆଶାରେ ।୩ ।


ଦୁଃଖ କଷ୍ଟ ସହି ମମତାର ମୟୀ

   ଶେଷରେ ପ୍ରସବ କରେ,

ଜୀବନକୁ ବାଜି କରି ଗଳଗାଜି

   ଅନ୍ଧ ସନ୍ତାନ ସ୍ନେହରେ । ୪ ।


ଭୁଲିଯାଏ ଦୁଃଖ ଦେଖି ପୁତ୍ର ମୁଖ

   ହୁଅଇ ଆନନ୍ଦ ମନ,

ଭାବେ ମନେ ମନେ ଏ ସନ୍ତାନ ଦିନେ

  ଶୁଝିବ ସେ ମାତୃଋଣ । ୫ ।


ଦିନୁ ଦିନ ପାଳେ ହୋଇ ମତ ଭୋଲେ

  ବାୟାଣୀ ପୁତ୍ର ପ୍ରେମରେ,

ଓଦା ଶେଯେ ଶୋଇ ସୁଖରେ ଶୁଆଇ

  ଦିନ ନିଏ ଏ ପ୍ରକାରେ ।୬।


ନିଜେ ନଖାଇଣ ସମ୍ଭାଳି ରଖିଣ

   ନାନା ଦ୍ରବ୍ୟମାନ ଆଣି,

ସନ୍ତାନର ପାଇଁ ସୁଖ ଅଜାଡଇ

   ମମତାମୟୀ ଅନ୍ଧୁଣୀ ।୭।


ପୁତ୍ର ସୁଖ ପାଇଁ ପୂଜା ମନାସଇ

  ବ୍ରତ ଉପବାସ ରହି,

ପ୍ରାର୍ଥନା କରଇ ମନ୍ଦିରକୁ ଯାଇ

  କୃପା କର ଭାବଗ୍ରାହୀ । ୮ ।


ମୋ ପୁତ୍ରକୁ ସୁଖ ଦିଅ ପଦ୍ମମୁଖ

  ଦୁଃଖ ପଛେ ମୋତେ ଦିଅ ,

ମୋ ଆୟୁଷ ନିଅ ମୋ ପୁତ୍ରକୁ ଦିଅ

  ସୁଖରେ ରହୁ ମୋ ପୁଅ । ୯ ।


ପୁତ୍ର କେବେ ଦିନେ ଯାଏ ଅନ୍ୟ ସ୍ଥାନେ

    ମାତା ଚାହିଁଥାଏ ପଥ,

କେତେବେଲେ ମୋର ଫେରିବ କୁମର

   ଘୁରି ଯାଏ ମାତା ମାଥ । ୧୦।


ମାତା ଜାଣେ ସିନା ପୁତ୍ରର ବେଦନା

  ବନ୍ଧ୍ୟା କି ଜାଣିବ ତାହା,

ଅନ୍ଧକି ଜାଣିବ କଜ୍ଜଳ ମହିମା

  ମଣି ବିନା ଫଣି ଯାହା । ୧୧ ।


ତା ମମତା ମୂଳ ପରିଶୋଧ ପାଇଁ

  ଶକ୍ତି ନାହିଁ ଆମ୍ଭ ଠାରେ,

କେବଳ ତାସେବା ଯଦ୍ୟପି କରିବା

  କିଛି ଭକ୍ତି ମିଳିପାରେ ।୧୨ |


ମାତା ତୋଷହେଲେ ଦେବଗଣ ତୋଷ

    ହୁଅନ୍ତି ସନ୍ତାନ ପ୍ରତି,

ଆଶିର୍ବାଦ ଦେଇ କରନ୍ତି କଲ୍ୟାଣ

   ଧନ୍ୟ ଧନ୍ୟ ହେ ସନ୍ତତି । ୧୩ ।

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍