ମଳୟର ଛୁଆଁ
ମଳୟର ଛୁଆଁ
ବସନ୍ତ ଖବର ଧରି ଆସଇ ମଳୟ
ପୃଥିବୀର ଶୋଭାକରେ ସଭିଙ୍କୁ ତନ୍ମୟ।
ନବ କିଶଳୟ ଭରା ଦିଶେ ମହୀରୁହ
ପତ୍ରଝରା ପରେ ଏବେ ମନୋରମ କାୟ।
ନବ କୁସୁମ ମୁକୁଳ ବଉଳିତ ଦେହେ
ମଧୁ ମଧୁ ସୁଗନ୍ଧରେ ସୁରଭିତ ହୁଏ।
ସହକାର ସଜାଇଛି ବଉଳ ମୁକୁଟ
ପଲାସ ଶିମୁଳି ଶୋହେ ନାଇଁ ନାଲିପାଟ।
ପରଭୃତ୍ୟ କୁହୁ କୁହୁ ତାନ ମେଲିଦିଏ
ହଳଦୀ ବସନ୍ତ ତାର ନୃତ୍ୟ କରିଯାଏ।
ଶରଗି ଚାର ବାସଙ୍ଗ ଧାତୁଙ୍ଗର ଫୁଲ
ସଜାଏ ତା ରମ୍ୟ କାନ୍ତି ବଣ ବକ୍ଷସ୍ଥଳ।
ମଳୟର ହିଲ୍ଲୋଳରେ ଜାଗଇ ପୁଲକ
ଉନ୍ମାଦିତ ହୁଏ ହୃଦ ବୃଦ୍ଧରୁ ବାଳକ।
ମହୁଲ ଧରଇ କୁଞ୍ଚି ରସ ଥାଏ ସଞ୍ଚି
ଫଗୁଣ ଆସିଲେ ଦେବ ଫୁଲ ଦେହେ ବିଞ୍ଛି ।
ଉଲ୍ଲସିତ ବନ୍ୟପଶୁ ପକ୍ଷୀରୁ ପତଙ୍ଗ
ମଧୁମକ୍ଷୀକା ସାଙ୍ଗରେ ହରସିତ ଭୃଙ୍ଗ।
ରଙ୍ଗିନ ଫୁଲର ଶାଢୀ ବେଢି ହୁଏ ଧରା
ଋତୁରାଜ ଅଭ୍ୟର୍ଥନା ମାଘମାସ ପରା ।
ବସନ୍ତ ପଞ୍ଚମୀ ଆସି ଦେଲାଣି ଡାକରା
ଆସିବ ପଛକୁ ପଛ ଉତ୍ସବ ଯାତରା ।
ଦୋଳଗୋବିନ୍ଦ ଆସିବେ ଚଢି ପାଲିଙ୍କିରେ ।
ହୋଲିଖେଳ ହେବ ଧରି ଅବୀର ରଙ୍ଗରେ।
ନଥାଏ ଶୀତ ବର୍ଷା କି ତପନଙ୍କ ତେଜ
ବସନ୍ତ ସୁନ୍ଦର ହେତୁ ନାଆଁ ଋତୁରାଜ।
