ମହାଶୂନ୍ୟ
ମହାଶୂନ୍ୟ
ଶୂନ୍ୟରୁ ଆସିଛି ଶୂନ୍ୟକୁ ଯିବି ମୁଁ
ମହାଶୂନ୍ୟରେ ହିଁ ଆସନ ମୋର
ଆସିଗଲେ କାଳ ଆତ୍ମା ଉଡ଼ିଯିବ
ଜଳିଯିବ ମୋ ଅଷ୍ଟାଙ୍ଗ ଶରୀର ।
ନାମ ପରିହାସ ଲୋକଙ୍କ ମୁଖରେ
ଶୁଣିବି ନାହିଁ ଆଉ ବାରମ୍ବାର
ଅଣନିଃଶ୍ୱାସୀ ମୁଁ ଜୀବନ ଯୁଦ୍ଧରେ
ଏ ତ ଅଭିମାନ ସ୍ୱର ମୋହର ।
ନେପଥ୍ୟରେ ଶୁଣେ ଅଟ୍ଟହାସ୍ୟ ସ୍ୱର
ବ୍ୟଙ୍ଗ ବିଦୃପର ଶବ୍ଦ ସମ୍ଭାର
ଫମ୍ପା ସମ୍ପର୍କର ଫମ୍ପା ନାଦଧ୍ଵନି
ଆଉ ଭୟ ନାହିଁ ଏ ଜୀବନର ।
ଜର୍ଜରିତ ତନୁ ଯନ୍ତ୍ରଣା କାତର
ପ୍ରଭୁଙ୍କୁ ଦେଇଛି ମନଟି ମୋର
ଅଲୋଡ଼ା ଅଖୋଜା ଜୀବନେ ବୁଝିଛି
ଆପଣାର ମିତ୍ର ମୋର ଈଶ୍ୱର ।
ଆଖି ବୁଜିଦେଲେ ଶୁଭିଯାଏ କର୍ଣ୍ଣେ
ଶୂନ୍ୟରେ ରହିଛି ତୋ' ପାଇଁ ଘର
ସେ ଘରେ ଅନେଇ ତୋ ପାଇଁ ବସିଛି
ଦେଖିଲେ ଲାଗୁଛି ମାଆ ତୋହର ।
ଅଭୁଲା ସ୍ମୃତିରେ ସୁନ୍ଦର ଅତୀତ
ପିତୃ ମାତୃ ଦେୟ ନାମ ମୋହର
ଜନ୍ମ ଦେଇ ପୁଣି ନାମ ଦେଇଥିଲେ
ସେହି ପରା ମୋ' ଦ୍ଵିତୀୟ ଇଶ୍ଵର ।
ହସେ କଳ୍ପନାର ଅନ୍ତରୀକ୍ଷ ମଧ୍ୟେ
ଅଦୃଶ୍ୟ ଶକ୍ତିରେ ମୁଁ ଯେ ନିର୍ଭୟ
ଶୂନ୍ୟରୁ ଆରମ୍ଭ ଶୂନ୍ୟରେ ହିଁ ଶେଷ
ନାହିଁ ମୋର ଡର କାହାକୁ ଭୟ ।
ପରିବର୍ତ୍ତନଶୀଳ ଜୀବନଚକ୍ରେ
ମହାଶୂନ୍ୟ ଦିନେ କରିବି ଘର
ପଥ ଅନୁସରି ବିଦାୟ ନେବ ଏ
ଶରୀର ସ୍ୱରୂପ ଜୀବନ ମୋର ।
ମାୟା କାଚଘର ସତ୍ୟ କୋଠରୀରୁ
ଜୁଇରେ ଜଳିବ ଶରୀ ମୋହର
ଧୀରେ ଧୀରେ ଆତ୍ମା ମହାଶୂନ୍ୟ ପଥେ
ମିଶିଯିବ ଶୂନ୍ୟ ମାର୍ଗ ଭିତର ।......
