ମହାପ୍ରଳୟ
ମହାପ୍ରଳୟ
ପ୍ରଳୟ ବେଳାରେ
କିଏ ତୋଳେ ପ୍ରଣୟ ରାଗିଣୀ
ଦ୍ୱନ୍ଦ୍ୱରେ ବିଶ୍ୱ ଚରାଚର
ଭୟଭୀତ ହେବେ ଅବା ବିମୋହିତ
ଓଃ କି !! ସୁମଧୁର ତା ତାନ
ମୁହୂର୍ତ୍ତକେ ତିରୋହିତ ହୋଇଯାଏ
ପ୍ରତିଟି ଅବଶୋଷ ଆଉ ଶୋଚନା
ଅବଶେଷେ କେବଳ ନିରବ ଉନ୍ମାଦନା
ହର
ଖଣ୍ଡ ଖଣ୍ଡ ହୋଇ
ପୃଥିବୀ ବକ୍ଷରେ
ଛିଣ୍ଡି ପଡ଼ୁଥୁବା ଆକାଶ
ତଥାପି ଆବ୍ରହ୍ମ ଶାନ୍ତ ସମାହିତ
ଅପୂର୍ବ ଏଇ କ୍ଷଣ
ସତେ କି ବହୁ ପ୍ରତୀକ୍ଷିତ
ବିସ୍ତୀର୍ଣ୍ଣ ନିରବତା ଆଉ ପ୍ରକ୍ଷିପ୍ତ ନିର୍ଲିପ୍ତତା
ଲୁଣ୍ଠିତ ହୋଇଛି ଯେମିତି ସମସ୍ତଙ୍କ ଜିଜୀବିଷା
ପ୍ରକୃତି ତୋଳୁଛି ତାଣ୍ଡବ
ଇତସ୍ତତଃ ବନଲତା ଆଉ ପାହାଡ଼
ତଥାପି ବିଭୋର ସମସ୍ତ ଜୀବନ୍ତସତ୍ତା
ଅଗ୍ରସର ଏକ ଆଲୋକମୟ ମହାନିର୍ବାଣ ପଥେ.....
ଧୀରେ ଧୀରେ ଅନ୍ଧକାର
ଘୋଟି ଆସେ ପୃଥିବୀର ପୃଷ୍ଠେ
ସତେ କି ଯବନିକା ପାତ
ମହାନାଟକର ପରିସମାପ୍ତି ପରେ
ନିର୍ଦ୍ଦିଷ୍ଟ ଏକ ବିନ୍ଦୁରେ ଲୀନ ହୋଇଯାଏ
ଅପସୃୟମାନ ଓଁକାର ବୀଜ
ନିର୍ବିଶେଷେ ରହିଯାଏ
ଏକ ବିଧ୍ୱସ୍ତ ପୃଥିବୀ ଆଉ ନିର୍ଜୀବ ଚରିତ୍ରମାନ
