ମହାବିଷୁବ ସଂକ୍ରାନ୍ତି
ମହାବିଷୁବ ସଂକ୍ରାନ୍ତି
ସୌର ଜଗତରେ ନିତି ଘଟିଥାଏ
ନାନାଦି ଭୌତିକ କ୍ରିୟା ,
ବାରମାସେ ବାର ରାଶି ର ପ୍ରଭାବ
ଜୀବ ଦେଖେ ପ୍ରତିକ୍ରିୟା ।
ପ୍ରତି ମାସ ଶେଷରେ ସୂର୍ଯ୍ୟଦେବତା
କରନ୍ତି ରାଶି ପରିବର୍ତ୍ତନ ,
ରାଶି ପ୍ରବେଶ ର ପ୍ରଥମ ଦିନ ଟି
ହୁଏ ସଂକ୍ରାନ୍ତି ନାମକରଣ ।
ସଂକ୍ରାନ୍ତି ପୁରୁଷ ମୀନ ରାଶି ଛାଡି
ମେଷରେ କଲେ ପ୍ରବେଶ ,
ଉତ୍ତରାୟଣ ଘଟେ ସୂର୍ଯ୍ୟ ଦେବତାଙ୍କ
କରନ୍ତି ଉତ୍ତାପ ପ୍ରକାଶ ।
ମେଷ ପ୍ରବେଶ ର ପ୍ରଥମ ଦିନ ଟି
ମହାବିଷୁବ ସଂକ୍ରାନ୍ତି ,
ଶ୍ରୀରାମ ଭକ୍ତ ବୀର ଆଞ୍ଜନେୟଙ୍କ
ପାଳନ୍ତି ଜନ୍ମ ଜୟନ୍ତୀ ।
ବସନ୍ତ ଫେରଇ ଆସଇ ବୈଶାଖ
ଅଭାବ ବଢେ ଜଳର ,
ଶରୀରରୁ ଜଳ ନ କମିବା ଲାଗି
ବସେ ପଣା ର ଆସର ।
ଘରେ ଘରେ ପଣା ସଂକ୍ରାନ୍ତି କହନ୍ତି
ଓଡ଼ିଶା ର ନବବର୍ଷ ,
ସୂର୍ଯ୍ୟଦେବତାଙ୍କୁ ପଣା ସମର୍ପଣ କରି
ଜନ ମାନସ ହରଷ ।
ଶୈବପୀଠ ବସେ ନୂତନ କଳସୀ
ଜଳଝରେ ଲିଙ୍ଗ ପରେ ,
ଚଉରା ଉପରେ ଠେକି ବାନ୍ଧି ଦେଇ
ବୃନ୍ଦାବତୀଙ୍କୁ ଦିଏ ଘଡିରେ ।
ଘରେ ଘରେ ଜମେ ପଣା ର ଆସର
ବାସ୍ନାରେ ମହକେ ଘର ,
ପୂର୍ବ ପୁରୁଷର ଏ ପଣା ପରମ୍ପରା
ହିତ କରଇ ଆମର ।
ଖରା ପ୍ରକୋପରୁ ସ୍ବାସ୍ଥ୍ୟ ରକ୍ଷା ପାଇଁ
ଦହି ,ସରବତ ପିଇ ,
ଦେହ ର ଜଳୀୟ ଅଂଶ ବଢ଼ିଥାଏ
ଶରୀର ଥଣ୍ଡା ରଖଇ ।
ଘଣ୍ଟ ପାଟୁଆ କୁ ଦଣ୍ଡ ନାଚଧାରୀ
ନାଚି ବୁଲନ୍ତି ଗାଁ ଗାଁ ରେ ,
ଵୁଢୀ ଠାକୁରାଣୀ ବୁଲି ବାହାରନ୍ତି
ଆଡ଼ମ୍ବରରେ ବାପଘରେ ।
କିଏ କହେ ପଣା ସଂକ୍ରାନ୍ତି ଏହାକୁ
କିଏ ମହାବିଷୁବ ସଂକ୍ରାନ୍ତି ,
ହନୁମାନ ଜନ୍ମ ଦିବସ କେ ପାଳେ
ଠାକୁରାଣୀ ଜାତ କହନ୍ତି ।
ବାରମାସେ ତେର ପର୍ବ ଓଡ଼ିଶାରେ
ପାଳନ୍ତି ପୁରପଲ୍ଲୀରେ ,
ପଣା ପାଣି ପିଇ ଦଣ୍ଡଧାରୀ ଯେତେ
ଵାହୁଡନ୍ତି ଯେଝା ଘରେ ।
ମିଳନର ପର୍ବ ବିଷୁବ ସଂକ୍ରାନ୍ତି
ନୂଆ ପାଞ୍ଜି ପ୍ରଚଳନ ,
ନୂଆ ବରଷକୁ ସ୍ବାଗତ କରିବା
ସୁଖରେ କଟିବ ଦିନ ।
