ମହା ସଂଗ୍ରାମ
ମହା ସଂଗ୍ରାମ
ତା' ସହିତ,
ଦେଖା ହେଲା...
ଏକ ସନ୍ତର୍ପଣ ସାକ୍ଷାତରେ ।
ସେଇ ଜାଗାରେ,ପ୍ରଥମ ସାକ୍ଷାତର...
ସେ ଆସୁଛି,
ମୁଁ ଅନେଇଛି...
ନିକଟକୁ,
ଆହୁରି ନିକଟକୁ...
ମୁହଁରେ ତା'ର ଅନାବିଳ ହସ,
ଆଖିରେ ତା'ର ନିର୍ଣ୍ଣିମେଶ ଚାହାଣି ।
ପାଖେଇ ଆସିଲା,
ମୋ' ନିକଟରୁ ନିକଟକୁ
ମୋ' ଉତ୍କଣ୍ଠାର ଅବସାନ କରି...
ୟେ ସେଇ ତ ! ବିଶ୍ୱାସ ହେଲା ନି ।
ତା' ଆଖିରେ ନାହିଁ
ସେଇ କ୍ଷୁଧାର ଜ୍ବଳନ...
ଅଛି ବରଂ ପ୍ରଶାନ୍ତି,ଚମକ ।
ହାତ ତା'ର ଥରୁନାହିଁ, ଆଗ ପରି
ଚେହେରାରେ ଚମକ,ସତେକି.....
ଏକ ପ୍ରଲୁବ୍ଧ ନିର୍ଲିପ୍ତତା
ଆଉ କର୍ମ ତତ୍ପରତା...... !
ଆଶ୍ଚର୍ଯ୍ୟ....
ବିସ୍ମୟର ଚରମ ସୀମାରେ
ମୁଁ ଓ ମୋର ଆଖି ଦୁଇଟି......
ନିଜକୁ ନିଜେ ପଚାରିଲି,
କାହିଁ ସେଇ କ୍ଷୁଧାତୂର,ଭଗ୍ନ ପ୍ରାଣ !
କାହିଁ ସେଇ ବିକଳଚିତ୍କାରର ବଳୟ !
ସେଇ ରୁଗ୍ଣ,ରୁକ୍ଷ ବିକଳାଙ୍ଗ ଅଙ୍ଗ,କାହିଁ !!!
ଆସିଲା,
ମୋତେ ଅନେଇଲା,
କହିଲା,"ଆପଣଙ୍କ କେଇଟା ଶବ୍ଦ...
ମୁଁ ପ୍ରୋତ୍ସାହିତ ହୋଇଥିଲି.....
ଆଗେଇ ଯାଇଥିଲି ଲଢ଼ିବାକୁ.....
ନିଜର ଦାରିଦ୍ର୍ୟ ସହିତ,ସମୟ ସହିତ
ପୁଞ୍ଜିବାଦ ଆଉ ରକ୍ଷଣଶୀଳଙ୍କ ବିରୁଦ୍ଧରେ.....
ଲଢେଇ କଲି.....
ଛାଡିବାକୁ ସମୟ ଲାଗିଲା
ଗୋଟାଏ ନର୍ଦ୍ଦମାକୁ,
ଗୋଟାଏ ବଞ୍ଚିବାର ଢଙ୍ଗକୁ.....
ଶେଷରେ ମୁଁ ହାରି ଯାଇନି....
ଜିତିଲି......
ସବୁ,ଆପଣଙ୍କ ସେଇ
ଦୁଇ ତିନୋଟି ପଦର କରାମତି.... !!!"
ଭାବିଲି...
ଏଇୟା ହିଁ ସଂଗ୍ରାମ,
ଏଇୟା ହିଁ ସଂଘର୍ଷ.....
ଅସମ୍ଭବ ସହିତ ସମ୍ଭବର....
ଅସମୟ ସହିତ ସମୟର.....
ନିୟତିର ନିଷ୍ଠୁରତା ସହ ନିଜ ଦାମ୍ଭିକତାର......
ଅବର୍ତ୍ତମାନ ସହ ବର୍ତ୍ତମାନର.....
ଅପରିପୂର୍ଣ୍ଣତା ସହିତ ପରିପୂର୍ଣ୍ଣତାର...
ଭାଗ୍ୟ ସହ କାର୍ତ୍ତବ୍ୟର......
ସଂଗ୍ରାମ,ମହା ସଂଗ୍ରାମ.......
"ଅସମ୍ଭବ ବୋଲି ସେମିତି ଶବ୍ଦ ନାହିଁ" !!!!
