ମେଘର ଧଳା ଓଢଣୀ ତଳର କାହାଣୀ
ମେଘର ଧଳା ଓଢଣୀ ତଳର କାହାଣୀ
ଫର ଫର ହୋଇ ଉଡେ ମେଘର ଧଳା ଓଢଣୀ
ଆକାଶର ବୁକୁପରେ କି ମନୋହର
ପାହାଡର ଚୂଡା ଛୁଇଁ ସତେକି ଯିବ ବରଷି
ସବୁଜ ଧାନର କ୍ଷେତେ ବରଷା ନୀର ||
ଝର ଝର ଝରିଯିବ ସର ସର ବରଷିବ
ରିମିଝିମି ସୁରେ ଗାଇ ଗୀତରାଗିଣୀ
ପାଇ ଜଳ ସୁଶୀତଳ ହସାଇବ ଚାଷୀକୂଳ
ସବୁଜ ଶାଢି ପିନ୍ଧିଣ ଧରଣୀରାଣୀ||
ପୁରିଗଲେ ନଦୀନାଳ ବହିଯିବ ଖଳଖଳ
ଜଳମଗ୍ନ କରି ଦେଇ ତଟିନୀ କୂଳ
ଭାସିଯିବ ଘରଦ୍ବାର ଆସିଗଲେ ବନ୍ୟାଜଳ
ଭସାଇ ନେବ କି ସତେ ଧୋୟା ଅଞ୍ଚଳ ||
ଦେହେ ଧରି ଫୁଲଫଳ ପତର ପୁଣି ଶ୍ୟାମଳ
ତରୁଡାଳେ ସାନ ବଡ ପକ୍ଷୀଙ୍କ ଦଳ
ଗାଇଯିବେ ସାନନ୍ଦରେ ସଙ୍ଗୀତର ସାତ ସୁରେ
ବଉଦ ବଜାଇଦେବ ତାହାର ଢୋଲ||
ପବନ ବଜାଇ ବୀଣା ସଂଗୀତ ଗାଇ ଝରଣା
ମୟୂରକୁ ନଚାଇବେ ଆନନ୍ଦରବେ
ରସିବ ପ୍ରକୃତି ରାଣୀ ହରଷିତ ମା' ଧରଣୀ
ସବୁଜିମା ଦେଖି ଖୁସି ହେବେ ସରବେ||
ବିଜୁଳି କରି ରୋଷଣୀ ଝଲସାଇ ଦେବ ପୁଣି
ନାଚିଉଠିବ ବନରେ ବନ ହରିଣୀ
ସାରୁ ବୁଦା ମୂଳେ ବସି ବେଙ୍ଗ କହେ ବେଙ୍ଗୁଲିକୁ
ପୃଥ୍ୱୀ କ୍ଷଣ କ୍ଷଣକେ ଆନ ରଖିଥା ଜାଣି||
କ୍ଷେତେ ବଗୁଲା ବଗୁଲି ନିଶ୍ଚଳେ ଥାଆନ୍ତି ବସି
ମୀନଟିଏ ଦେଖାଦେଲେ ଧରିବେ ବୋଲି
ବର୍ଷାଟିକେ ଗଲେ ଛାଡି ବର୍ଷା ରେଣୁ ଦେଇ ରବି
ରଶ୍ମି ବଳେ ଆଙ୍କେ ଇନ୍ଦ୍ରଧନୁ ରଙ୍ଗୋଲି ||
ଓଳିତଳ ଜଳ ରାଶି ପରେ ବର୍ଷାଜଳ ଖସି
ସୃଷ୍ଟି କରେ କ୍ଷଣସ୍ଥାୟୀ ଜଳ ଫୋଟକା
କାଗଜ ଡଙ୍ଗାଟେ ଧରି ଘରୁ ଯାଇ ଲୁଚିଛପି
ଗାଁ ଦାଣ୍ଡ ଜଳବକ୍ଷେ ଭସାଏ ଏକା ||
ମେଘର ମହ୍ଲାର ଦେଖି ବିରହିଣୀ ନବ ବଧୂ
ମନେ ଆସେ ନାନା ଚିନ୍ତା ଶିଖାଟି ପରି
କେତେ କଥା ମନେ ଆସି ହଜିଯାଏ ନିମିଷକେ
ଆକାଶରେ ବିଜୁଳିର ଝଲସ ପରି||
କୁଆଡୁ ଆସିଲା ମାଡି ଢୋଲ ପିଟି ଘଡଘଡି
କମ୍ପାଇ ଦେଲା ଆକାଶ ଥରିଲା ଭୂମି
ଝଲସାଇ ନଭ ଦେଶ କରିଦେଲା ଭୀତତ୍ରସ୍ତ
ଚପଳା ଚମକେ ବରଷା ରିମିଝିମି||
ବରଷାରେ ଶୁଆ ଶାରୀ ଦୁହେଁ ପ୍ରୀତି ଅଭିସାରି
ବରଷାରେ ଭିଜି ଯାଆନ୍ତି ଆନନ୍ଦଭରେ
ତେଣେ ଚକୋର ଚକୋରୀ ହୋଇ ହାତ ଧରା ଧରି
ଭିଜି ଯାଆନ୍ତି ଆନନ୍ଦରେ ବରଷା ନୀରେ ||
ଚାତକ ଚାତକୀ ପୁଣି ପିଇ ବରଷାର ପାଣି
ସନ୍ତାପନ୍ତି ନିଜ ପ୍ରାଣ ଶୋଷ ମେଣ୍ଟାଇ
ଚାଷୀ ହୋଇ ତର ତର ଚାଷ କାମ କରେ ତାର
ନୂଆ ଆଶା ଉଦ୍ଦୀପନା ମନରେ ବହି ||
ତେଣେ ନାଲି ଟୁକୁ ଟୁକୁ ସାଧବ ବୋହୁର ବୁକୁ
କରେ ବେଗେ ଦୁକୁଦୁକୁ କିପାଇଁ ସତେ
ଗୁରୁଣ୍ଡି ଗୁରୁଣ୍ଡି ଚାଲେ ଧରଣୀ ମାଆର ଭାଲେ
ସୁନ୍ଦର ଦିଶେ ଟୋପାଏ ସିନ୍ଦୂର ମତେ ||
ଉଡେ କଙ୍କି ପ୍ରଜାପତି ନାନା ରଙ୍ଗ ନାନା ଜାତି
ମୋହିନିଏ ମନ ମୋର କରି ବିଭୋର
ଧରିବାକୁ ଇଛାହୁଏ ପାଶେ ଗଲେ ଉଡିଯାଏ
ଧରା ବାଗୁଡି ଖେଳଇ ସାଥେ ମୋହର 11
ପାଇଗଲେ ଶିଶୁ ବଣି ପଂଜୁରୀଟେ ଦିଏ ବୁଣି
ବାଉଁଶ ବୁଦାରୁ ଆଣି ବାଉଁଶ କଣି
ସେଥିରେ ବଣିକୁ ଧରି ଯାଏ ମୁଁ ଘରୁ ବାହାରି
ଝିଣ୍ଟିକା ମାରିଣ ମୁହିଁ ଖୁଆଏ ବଣି ||
ବାଡିରେ ମାଙ୍କଡ ପଶି ଖାଏ ଯେ କାଙ୍କଡ କଷି
ମୋ ହାତରେ ଟେକା ଦେଖି ଯାଏ ସେ ଖସି
ଭାଦ୍ରବରେ ପାଚେ ମକା ପୋଡି ଖାଇଯାଏ ଏକା
ଦେଖିଦେଲେ ମୋ ପ୍ରେୟସୀ ଯାଏରେ ରୁଷି ||
ଜହ୍ନି ଫୁଲ ଠୋ ଠା କାକୁଡି ଫୁଲ ଠୋ ଠା
ଗୁଣ୍ଡୁଚି ମୂଷା କହେ “ମୋ ପାଇଁ ରଖିଥା“
ସାରୁ ପତ୍ରେ ଜଳ ପଡି ହୀରା ଗୋଲକଟେ ଗଢି
ଢଳ ଢଳ ହୋଇ ଗାଏ ବରଷା ଗାଥା ||
ସୂରୁଯର ରୂପ ଦେଖି ବିମୋହିତ ବର୍ଷା ସଖି
ବାହୁ ବନ୍ଧନରେ ନେଇ ପୀରତିଭରେ
ପ୍ରସାରି ପାଟ ଓଢଣୀ କଳା ମଚ ମଚ ପୁଣି
ଲୁଚାଇ ଦିଏ ରବିଙ୍କୁ ନିଜ ପୟରେ ||
କିଛି କ୍ଷଣ ପରେ ପୁଣି ଆକାଶେ ହସଇ ରବି
ଲୁଚିଯାଏ ବର୍ଷା ଟାଣି କଳା ଓଢଣୀ
ହୁଏ ପୁଣି ଚଳଦଳ ସକଳ ପ୍ରାଣୀଙ୍କ କୁଳ
ସ୍ନାନ ସାରି ଫେରି ଆସେ ମାତା ଧରଣୀ ||
ସାରୁ ପତ୍ରେ ଜିଆ ଧରି ଘରୁ ଯାଏ ମୁଁ ବାହାରି
ଜଳରେ ବୁଡାଇଦିଏ କଣ୍ଟାରେ ଗୁନ୍ଥି
ତାକୁ ଦେଖି ମୀନ ମନ ଖାଇବାକୁ ଛନଛନ
ଖାଇଲେ ବନିଶି କଣ୍ଟା ଯାଏରେ ଲାଖି ||
ଜିଆ ଗିଳି ଚାଲିଗଲେ ଭସା ସୋଲ ବୁଡିଯାଏ
ବନିଶି ବାଡିକୁ ମୁହିଁ ଦିଏରେ ଟେକି
ଜୀବନ ବିହୁନେ ଝସ ହେଉଥାଏ ଖସ ଖସ
ମନ ମୋ ଆନନ୍ଦେ ନାଚେ ତାହାକୁ ଦେଖି ||
କାଶତଣ୍ଡୀ ପତ୍ର ନେଇ ମୁଗୁରାଟେ ଦିଏ ବୁଣି
ବିଲ ହିଡ ଘାଇ ମୁହେଁ ଦିଏ ବସାଇ
ଜଳସ୍ରୋତେ ଝସଗଣ ଆନନ୍ଦେ ଭାସି ଭାସିଣ
ଖେଳୁ ଖେଳୁ ମୁଗୁରାରେ ପଡନ୍ତି ଯାଇ ||
ବେଳେବେଳେ ଧଣ୍ଡ ସାପ ଖାଇଦିଏ ମାଛତକ
ରାଗରେ ତା ଲାଂଜ ଧରି ଦିଅଇ ଟେକି
କରେ ତାକୁ କଲବଲ କରି କରି କେତେ ଗେଲ
ଆନନ୍ଦେ ନାଚଇ ତାର ନାଚକୁ ଦେଖି ||
ନିଶିଥରେ ତାରା ମେଳେ କଳାମେଘ ଆଢୁଆଳେ
ଲୁଚକାଳି ଖେଳେ ଶଶୀ ଗଗନ ଦେଶେ
ଗଡିଆ ସରସୀ ଜଳେ ବେଙ୍ଗ ରଡି କେଁ କଟରେ
କି ସୁନ୍ଦର ପରିବେଶେ ମନ ହରଷେ ||
ଘନ ଘନ ବରଷିଲେ ଜଳବହୁଳ ଘଟିଲେ
ନଦୀସବୁ ପୂର୍ଣ୍ଣଗର୍ଭା ହୁଅଇ ଭଲେ
କୂଳଲଙ୍ଘି ମାଡିଯାଏ ନଦୀବନ୍ଧ ଭାଙ୍ଗିଦିଏ
ଗ୍ରାମ ନଗର ବୁଡାଏ ବନ୍ୟାର ଜଳେ||
ଜନେ ହୋନ୍ତି କଲବଲ ଭାସିଯାଏ ଘର ପୋଲ
ଭାସି ଯା'ନ୍ତି ଗାଈ ଗୋରୁ କାନ୍ଦଇ ପ୍ରାଣ
ତଥାପି ବରଷା କାଳ କରଇ ଆମ ମଙ୍ଗଳ
ଭୁଲି ହେବ ନାହିଁ କେବେ ତାହାରି ଦାନ 11
