ମଧୁର ଯନ୍ତ୍ରଣା
ମଧୁର ଯନ୍ତ୍ରଣା
ମନ ତଳେ ମୋର ମଧୁର ଯନ୍ତ୍ରଣା
ହାଏ ପ୍ରିୟତମ ମୋର..।
ଦେହ ସିନା ବନ୍ଧା ଦୁନିଆ ରୀତିରେ
ହୃଦୟରେ ତୁମେ ମୋର..॥
ସମ୍ପର୍କ ନାଆଁରେ ନୂଆଁ ନିଆଁ ଏଇ
ଶଙ୍ଖାରୁ ସିନ୍ଦୁର ମୋର..।
ହୃଦୟ ଭିତରେ ପ୍ରତି ମୁହୁର୍ତ୍ତରେ
ତୁମେ ମୋର ତୁମେ ମୋର..॥
ଜୀବନ ମରଣ ବଡ କଥା ନୁହଁ
ଜଳୁଛି ଯେବେ ଅଙ୍ଗାର..।
ଜୀଇ କୋଉ ଲୋଡା ମଲେ ବି ଅଲୋଡା
ପାଉଁଶ ତ ଶେଷ ସାର..॥
କାହା ପାଦ ତଳେ ସରଗ ମୁଁ ଖୋଜେ
ମୋ ସରଗ ବହୁଦୂର..।
କାହିଁକି ଅଝଟ ହୁଅ ମୋ ଦେବତା
ଛାଡ ଏ ଅଞ୍ଚଳ ମୋର..॥
ଏଇ ଜନମେ ମୁଁ ତୁମର ହେଲିନି
ତୁମେ ବି ହେଲନି ମୋର..।
ପ୍ରତି ଜନ୍ମେ ସତେ ଅଧୁରା କାହାଣୀ
ତୁମେ ଏ କପାଳେ ମୋର..॥
ଦେହ ମନ ହୃଦ ସବୁ ତ ତୁମର
ତୁମେ ହିଁ ଜୀବନ ମୋର..।
ଆଉ କେତେ ଜନ୍ମ ତୁମ ସପନେ ମୁଁ
ରହିଥିବି ହେଇ ପର..॥
ଏ କି ଶିହରଣ ଅଦୃଶ୍ୟ ଅନ୍ଧାରେ
ଖେଳିଯାଏ ଦେହେ ମୋର..?
ସପନ ଶେଷରେ ଚେଇଁ ଉଠେ
ତୁମେ ଛୁଇଁ ଦେଲେ ଦେହ ମୋର..॥
ଭିତରେ ବାହାରେ ସବୁଠି ତ ତୁମେ
କିଏ ଅଛି ଆଉ ମୋର..।
ତଥାପି ତ ନିତି ଚିହ୍ନେନା ଯେମିତି
ଅଶୋକ ବନରୁ ମୋର..॥
ଛଳ ଛଳ ଆଖି ଦେଖେ ଏ ଦୁନିଆ
ଦେଖେ ମୋର କାନ୍ଦିବାର..।
କିଏ ବା ଜାଣିବ ତୁମେ ମୋ ଆଖିରୁ
ଅମାନିଆ ପ୍ରତି ଧାର..॥
ଆହା ମୋ ଦେବତା ମୁଁ ଆଜି ସଳିତା
ତୁମେ ହିଁ ଆରାଧ୍ୟ ମୋର..।
ସଞ୍ଜ ହେଲେ ଜଳେ ତୁମ ପାଦ ତଳେ
ସେଇ ତ ସଂସାର ମୋର..॥
ତୁମ ସାଥେ ଥରେ ହଜିଗଲା ପରେ
ଖୋଜିବା ହିଁ ହେବ ସାର..।
ତୁମ ଠିକଣା ତ ମୋ ଶେଷ ଠିକଣା
ଶେଷ ପରିଚୟ ମୋର..॥
ଯନ୍ତ୍ରଣା ଜୁଇରେ ଜଳୁଛି ଜୀବନ
ତଥାପି ତ ତୁମେ ମୋର..।
ଡର ଲାଗେ କାଳେ ମୋ ସାଥେ ତୁମେ
ଜଳିଯିବ ପ୍ରିୟ ମୋର..॥
****************
bhabani charan mishra.
mohana ( gajapati )
9438187739
