ମୌସୁମୀ ଫେରାର
ମୌସୁମୀ ଫେରାର
ମୌସୁମୀ ଗୋ ତୁମେ ଫେରାର ହୋଇଲ
ଉତ୍ତପ୍ତ ହୋଇଲା ଧରା
ଘରୁ ବାହାରିବା ବଡ଼ କଷ୍ଟ ଆଜି
ମୁଣ୍ଡଫଟା ଟାଣ ଖରା
ଡ଼ହ ଡ଼ହ ଖରା ତାତିଲା ପବନ
ବୈଶାଖର ପରି ଲାଗେ
ଦେହରୁ ବୋହୁଛି ଗମ ଗମ ଝାଳ
ଚିଡିଚିଡା ଭାରି ଲାଗେ
ବୈଶାଖୀର ଝାଞ୍ଜି ପବନ ବୋହୁଛି
ଲାଗୁନି ଭାଦ୍ରବ ମାସ
ଶ୍ରାବଣ ମାସ ଯେ ଚାଲିଗଲା ପରେ
ଧରା ହୁଏ ତ୍ରାସ ତ୍ରାସ
କାଦୁଆ ଘିମିରି ଅସ୍ତବ୍ୟସ୍ତ କରେ
ରୌଦ୍ର ତାପ ଉଷ୍ମତାରେ
ଗ୍ରୀଷ୍ମ ପ୍ରବାହରେ ଇତସ୍ତତଃ ଜନ
ତିଳ ତିଳ ଜଳି ମରେ
ବୈଶାଖୀ ପ୍ରଭାବେ ଲୁଚନା ଗୋ ଆଉ
ମୌସୁମୀ ଜଳଦ କନ୍ୟା
ଆସ ଅବତରି ଏଇ ଧରା ଧାମେ
ହେଉ ବସୁନ୍ଧରା ଧନ୍ୟା
ମୌସୁମୀ ଗୋ ତୁମ ଫେରିଆସ ଥରେ
ଚାଷୀ କୂଳ ଚିନ୍ତାକର
ଏଡିକି ନିର୍ଦ୍ଦୟ ହୁଅ ନାହିଁ ତୁମେ
ଧରା ଉତ୍ସବ ମୁଖର
ମୌସୁମୀ ଗୋ ତୁମେ କରନି ଛଳନା
ଛୁଇଁ ଯାଅ ଆସି ଥରେ
କର ମେଘ ସୃଷ୍ଟି ହେଉ ଏବେ ବୃଷ୍ଟି
ଆସି ପୁଣି ଆଉ ଥରେ ।
