STORYMIRROR

sushama Parija

Others

3  

sushama Parija

Others

ମୌସୁମୀ ଗୋ !ବର୍ଷିୟାନ୍ ଯାଅ ଥରେ

ମୌସୁମୀ ଗୋ !ବର୍ଷିୟାନ୍ ଯାଅ ଥରେ

1 min
416

ଅଭିମାନୀ ମୌସୁମୀ ଗୋ ! କାହିଁ ଗଲ ଫେରି ଆସ 

ଦେଖ !ନିଦାରୁଣ ଗ୍ରୀଷ୍ମ ଋତୁ ଦିଏ ପ୍ରାଣେ ବଡ ତ୍ରାସ।। 

ଅସହ୍ୟ ହେଉଛି ଏବେ ଗୋ ତୀବ୍ର ଅରୁଣ କିରଣ 

ଆକୁଳ ହୁଅନ୍ତି ବୃକ୍ଷ ,ଲତା, ପଶୁ, ପକ୍ଷୀ, ମାନବ ଗଣ।। 

ଚାଷୀ ଭାଇ କାନ୍ଦେ ଆଜି ଜଳ ବିନେ ବିଲମାଳ ଫଟା

 ହା ଅନ୍ନ ହା ଅନ୍ନ ବୋଲି ଶୁଭେ କେତେ ଘନଘଟା ।।

 ଉତ୍ତପ୍ତ ସାଗରର ରୁଦ୍ରରୂପ “ଫଣୀ” ହୋଇ ପ୍ରକାଶିଲା 

ଘୁ, ଘୁ, ଫୁତ୍କାରରେ ଗ୍ରାମ ନଗ୍ର ସବୁ ଧ୍ୱଂସ କଲା।।

 ଉଜାଡିଲା କେତେ ବସବାସ, କେତେ ଜୀବନ ଜୀବିକା

 କେତେ ମହାଦ୍ରୁମ ନିମିଷକେ ଟାଳି ସୃଷ୍ଟି କଲା ବିଭୀଷିକା ।। 

“କୂଳ ଲଙ୍ଘେ ନାହିଁ ସାଗର” ଆପ୍ତ ବାଣୀ ହେଲା ମିଥ୍ୟା 

ପ୍ରଳୟ ରଚିଲା, ସୃଷ୍ଟି ଧ୍ୱଂସ ହେଲା, କଲା ପୁଣି ଜୀବ ହତ୍ୟା ।। 

ଯେତେ ସୁଉଚ୍ଚ ବୃକ୍ଷ ରକ୍ଷୀ ଥିଲେ ଉପକୂଳ ଯୋଦ୍ଧା ହୋଇ 

“ଫଣୀ”ର କରାଳ ଚୋଟରେ ସେ ଉପୁଡି ପଡିଲେ ଶୋଇ।।

 ଗାଆଁରୁ ସହର ଯାଏଁ, ଶୁଭେ ହାହାକାର,ଜଳ ବିନ୍ଦୁ ଟିଏ ପାଇଁ 

ମୌସୁମୀ ଗୋ ତୁମ ନିର୍ଦ୍ଦୟ କାନେ କି ହାହାକାର ବାଜୁ ନାହିଁ ? 

ମାନ ତେଜି ତୁମେ ଆସ, ମାନମୟୀ ଦକ୍ଷିଣ ସାଗର ଡେଇଁ 

ତୁମରି ଶୀତଳ ପରଶେ ଧରାକୁ ଶୀତଳତା ଯାଉ ଛୁଇଁ ।।

 ଚକୋର, ଚକୋରୀ ପରି ଆମେ ସବୁ ବସିଛୁ ତୁମକୁ ଚାହିଁ 

ଅଭିମାନ ତେଜି ମୌସୁମୀ ଗୋ ଯାଅ ଟିକିଏ ପରଶ ଦେଇ।। 

ତୁମ ପରଶରେ ସୃଷ୍ଟି ହେଉ ଏଠି ବାଷ୍ପୀଭୂତ ମେଘଖଣ୍ଡ

 ମେଘର ମାଳାରେ ସୁସଜ୍ଜିତ ହେଉ ଶୁଭ୍ର ସେ ନଭଖଣ୍ଡ ।।

 ବିଦ୍ୟୁତ ଆଭାରେ ଚମକି ଉଠୁ ସେ ନୀଳ ଆକାଶର ବୁକୁ

 ଇନ୍ଦ୍ର ସ୍ୱର ତା’ ଘର୍ଘର ନାଦରେ କମ୍ପାଇ ଦେଉ ତାହାକୁ ।।

 ପହିଲି ବର୍ଷାର ପ୍ରଥମ ଛୁଆଁରେ ପୁଲକିତ ହେଉ ଧରା

 ଭିଜାମାଟିର ସେ ମିଠା ବାସ୍ନାରେ ଭରି ଯାଉ ପୃଥ୍ୱୀ ସାରା ।। =

=================================== 



Rate this content
Log in