ମୈ।ଳିକତା
ମୈ।ଳିକତା
ତଟିନୀ କି କେବେ ପଛକୁ ଲେଉଟେ
ମଥା କି ନୁଆଁଏ ଗିରି,
ଶରାସନୁ ଶର ସନ୍ଧାନ ସରିଲେ
ଆଉ କି ଆସଇ ଫେରି ।
ପବନ ପ୍ରବାହ କିଏ ବା ରୋକିବ
ପକାଇଲେ ଯେତେ ଗଣ୍ଠି,
ପାଦପର ପାଦ ଭୂଇଁ କି ଛାଡିବ
ଉପରକୁ ଗଲେ ଉଠି ।
ସୂରୁଯ କି କେବେ ପଶ୍ଚିମେ ଉଇଁବେ
ଛାଡିବେ କି ପ୍ରଖରତା,
ଅସଂଖ୍ୟ ନକ୍ଷତ୍ର ମଧ୍ୟରେ ଚନ୍ଦ୍ର କି
ହାରି ଥାନ୍ତି ଶୀତଳତା ।
ଯାହା ଖାଉଥିଲେ ଗାଈର କି କେବେ
ବଦଳଇ କ୍ଷୀର ରଙ୍ଗ,
କାଗଜ ଫୁଲେ କି ବାସ ସିଞ୍ଚି ଦେଲେ
ବସି ଯିବ ଆସି ଭୃଙ୍ଗ ।
ନିମ୍ବ ଚାରି କରେ ଆଖୁ ରୋପିଲେ କି
ନିମ୍ବ ହୋଇବ ମଧୁର,
କୋଇଲା କୁ ବାରମ୍ବାର ଧୋଇଲେ କି
ବଦଳିବ ରଙ୍ଗ ତାର ।
କାଉର ବସାରେ କୋଇଲି ବଢ଼ିଲେ
କୋଇଲି କି କାଉ ହୁଏ,
ଗୋଖରକୁ କ୍ଷୀର ପାନ କରାଇଲେ
ତା ବିଷ କି କମି ଯାଏ ।
ଏମାନେ ଯେମିତି ନିଜ ମୈ।ଳିକତା
କରନ୍ତି ନି କେବେ ଭିନ୍ନ,
ସେହିପରି ଆମ ନିଜ ଅସ୍ମିତା କୁ
ହେବାକୁ ଦେବା ନି ନ୍ୟୁନ ।
ଓଡ଼ିଶାର ମୈ।ଳିକତା ରକ୍ଷା କରି
ବିଶ୍ୱେ ଉଡ଼ାଇବା ନେତ,
ଓଡ଼ିଆ ବୋଲି କି ସଗର୍ବରେ ଆମ
ଶିର ହୋଇଯିବ ଉଚ୍ଚ ।
ନିଜ ଅସ୍ମିତା କୁ ଛାଡିବା ନି କେବେ
ଆସୁ ଯେତେ ବାଧା ବିଘ୍ନ,
ବିଶ୍ବ ଦରବାରେ ସେ ପରିଚୟ ରେ
ନିଜକୁ ମଣିବା ଧନ୍ଯ ।
