ମାୟାର ସଂସାର
ମାୟାର ସଂସାର
ମାୟାର ସଂସାର ଏ ତ ମାୟାର ସଂସାର,
ଜୀବନଟା ମାୟାପୂର୍ଣ୍ଣ ସମୟର ଖେଳ |
ସମୟ ସରିଲେ ଏଠି କେହିନୁହେ କାହାର,
ଫେରିବେ ଯେ ଯା ବାଟେ ସାରି ଅଭିନୟ ଯାହାର |
ଏ ଧରଣୀ ମଞ୍ଚ ଅଟେ, ଆମେ କଳାକାର,
ଘଟଣା ତ ଲେଖକ ଆଉ ନିର୍ଦେଶକଙ୍କର |
ଚଳଚିତ୍ରେ ଯେମିତି କେ ନୁହଁ ଆପଣାର,
ସବୁ ଅଭିନୟ, ସ୍ନେହ, ପ୍ରେମ, ଛଳନାର |
କୋଉଠି ଆରମ୍ଭ ହୋଇ କୋଉଠି ଯେ ଶେଷ,
ଭାଗ୍ୟର ଲେଖକ ଯାହା କରିଛି ନିର୍ଦ୍ଦେଶ |
ଖାଲିହାତେ ଆସିଥିଲୁ ଯିବୁ ଖାଲିହାତେ,
ଭଲ ଅଭିନୟ କଲେ ପ୍ରଶଂସା ଯିବ ସାଥେ |
ସେହିପରି ଜୀବନଟା ଏକା ଏକା ଯିବ,
ଧନ, ଜନ, କେହି ତୋର ସାଥିରେ ନଥିବ |
ଆଖିରୁ ଗଡ଼ାଇ ଲୁହ, ଦେବେରେ ବିଦାୟ,
ଦଶଦିନ ଗଲେ ସବୁ ଭୁଲିଯିବେ ହାୟ ।
ବାରଦିନେ ଭୋଜି ଭାତ କରି ଯେ ଖାଇବେ,
ସମ୍ପତ୍ତି ବାଣ୍ଟିଣ ମାୟା ଚକ୍ରେ ପ୍ରବେଶିବେ |
ତିନିପାଟ ପରିଯନ୍ତେ ମନେ ଯେ ରଖିବେ,
ଏହାପରେ ତୋର ବଂଶ ତୋତେ ଭୁଲିଯିବେ |
କରିଥିବୁ ଜୀବନରେ ଯଦି ଭଲ କର୍ମ,
ଅମର ହୋଇବୁ ହୋଇଗଲେ ବି ମରଣ |
ଗାଡି, କୋଠା, ଧନ ଆଉ ରୂପ ଯଉବନ,
ସବୁଥାଇ ପାଶେ ଯଦି ନାହିଁ ଭଲ ମନ |
ସମୟ ଚକରେ କ୍ଷଣେ ସବୁ ଚାଲିଯିବ,
ରୋଗଶଯ୍ୟାରେ କେହି ତୋ ପାଶେ ନ ଥିବେ |
ବାର୍ଦ୍ଧକ୍ୟ କାଳେ ବୁଝିବୁ ଯଉବନ ମାୟା,
ରୋଗକାଳେ ଧନ, ଆଉ ରୂପର ପ୍ରଚ୍ଛlୟା |
ଅଂହକାରେ ଗଢିଥିଲୁ ସୁନ୍ଦର ବଙ୍ଗଳା,
ଅଲୋଡ଼ା କୋଠା କୋଣେ ପଡ଼ିଲୁ ହୋଇ ପୁଙ୍ଗୁଳା |
ଧନ ଗର୍ବରେ ଆଦେଶ କରୁଥିଲୁ ଯେତେ,
ଅନୁରୋଧ କଲେ କେହି ଶୁଣିବେନି ତୋତେ |
ଜନ୍ମରୁ ମରଣ ସବୁ ମନେ ପଡ଼ିଯିବ,
କଲା କର୍ମଫଳ ସିନା ତୋ ସାଥିରେ ଥିବ |
ଧନ ବଦଳେ ଅର୍ଜନ କରିଥିଲେ ଧର୍ମ,
ଆଦେଶ ବଦଳେ ଦେଇଥିଲେ ସ୍ନେହ ପ୍ରେମ |
ଗର୍ବ ନ କରିଣ ଦୁଃଖୀ ଜନ ସେବିଥିଲେ,
କଷ୍ଟ ହେଉ ପଛେ ଭଲ କର୍ମ କରିଥିଲେ |
ସହାୟ ହୋଇବେ ସେହି ବନ୍ଧୁ ସହୋଦର,
ଶେଷକାଳେ ଏକୁଟିଆ ଭୟ ଯିବ ତୋର |
ମାୟାର ସଂସାର ଏତ ବାୟାର ସଂସାର,
ରକ୍ତ ମାଂସ ଗଢ଼ା ମିଛ କାୟାର ଏ ଘର |
