ମାୟାବୀ ସ୍ୱପ୍ନ
ମାୟାବୀ ସ୍ୱପ୍ନ
ଭଲରେ ତ ଥିଲି
ଭସା ବଉଦରେ ଭାସି
ରାସ୍ତାକଡରେ ଛିଡା ହୋଇ
ଖରା ପୁଉଁଥିଲି ।
ଗାଡି ମୋଟରର ପେଁ ପାଁ ଭିଡରେ
ନିରବତାର କ୍ରନ୍ଦନକୁ ବୁଝାଇ ॥
ପାର୍ଥିବ ଦୃଶ୍ୟାବଳୀର
ମିଥ୍ୟା ଅହମିକାରୁ
ସାମୟିକ ବିରତି ନେଇ
ଦେଖୁଥିଲି ପ୍ରକୃତିର
ନୈସର୍ଗିକ ଚିତ୍ରାବଳୀ
ମୃଣ୍ମୟତାର ସ୍ପନ୍ଦନକୁ ତେଜାଇ ॥
ବଜ୍ରର କଠିନତା ଆଉ
ବିଜୁଳିର କୋମଳତା ଭିତରେ
ଗୁଞ୍ଜରି ଉଠୁଥିଲା
ଅନୁରାଗର ଇନ୍ଦ୍ରଧନୁ ।
ଫୁଟୁଥିଲା ବି ପ୍ରୀତିର କସ୍ତୁରୀ
ପ୍ରଗଳ୍ଭତାର ଚନ୍ଦନକୁ ସଜାଇ ॥
ସହ୍ୟ ହେଲାନି ବୋଧେ
ଈର୍ଷାନ୍ୱିତ ହୋଇ ଅଜାଡିଲା
ମୌସୁମୀର ଅତୃପ୍ତ ବର୍ଷା
ଦେହରୁ ପୋଛିବାକୁ ପୁଇଁଥିବା ଖରା
ମନରେ ବାନ୍ଧିଥିବା ସ୍ୱପ୍ନ ଜ୍ୟୋତ୍ସ୍ନାଭରା ।
ଧୋଇ ନେଲା ଉଙ୍କୁଥିବା ମଧୁ ଶିହରଣ
ନିବିଡତାର ବନ୍ଧନକୁ ହଜାଇ ॥
ହିତେନ୍ଦ୍ର ନାଥ ମହାନ୍ତ