ମାୟା ସଂସାର
ମାୟା ସଂସାର
ସଂସାର ର ଅଂକା ବଂକା ପଥ
ଚାଲି ଚାଲି ହେଲିଣି ନୟାନ୍ତ
ପାଦ ପଡେ ଏଠି ସେଠି
ଆଖି ବୁଜି ଆସିଲାଣି,
ଥରୁଛି ମୋ ହାତ ଥରୁଛି ଚିବୁକ
ଦିଅ ମୋତେ ଆଜ୍ଞା ଏବେ
ମୁଁ ନିଅନ୍ତି ମେଲାଣି ।
ଚର୍ମ ମୋର ଲୋଚା କୋଚା
ଧଳା ଦିଶେ କେଶ
ଆଖି ତ କୋରଡାଗ୍ରସ୍ତ
ଦୃଷ୍ଟି ବି ଅସ୍ପଷ୍ଟ
ଦି ପାଦ ପାରୁନି ଚାଲି
ଅଣ୍ଟା ପିଠି ନଇଁ ଲାଣି
ଦିଅ ମୋତେ ଆଜ୍ଞା ଏବେ
ମୁଁ ନିଅନ୍ତି ମେଲାଣି ।
ପୁଅ ଝିଅ ଧନ ରତ୍ନ
ସବୁ କମେଇଛି
କୋଠା ବାଡି ଗାଡି ଘୋଡା
ମାନ ସମ୍ମାନ ରୁ କିଛି
ଧରା କୁ ମୁଁ ସରା ମଣି
ପାପଚାପରେ ବୁଡି ତ ଗଲିଣି
ଦିଅ ମୋତେ ଆଜ୍ଞା ଏବେ
ମୁଁ ନିଅନ୍ତି ମେଲାଣି ।
ଗଣ୍ଠୁଲିରେ ଅଛି ମୋର
ପର ତଣ୍ଟି ଚିପା ଧନ
କାହାର ହସ ତ ପୁଣି
କାହା ଜୀବନ ଯୌବନ
ପାପର ଏ ବୋଝ ବୋହି
ମୁଁ ଥକି ପଡିଲିଣି
ଦିଅ ମୋତେ ଆଜ୍ଞା ଏବେ
ମୁଁ ନିଅନ୍ତି ମେଲାଣି ।
ଏ ମାୟା ସଂସାରେ ଖାଲି
ନିଜ କଥା ଭାବି
ଭୁଲି ଗଲି ତୁମକୁ ମୁଁ
ପାରିଲିନି ହେଜି
ଏ ଭବସାଗର ପାରି ହେବାପାଇଁ
ତୁମେ ଏକା ତ ତରଣୀ
ଦିଅ ମୋତେ ଆଜ୍ଞା ଏବେ
ମୁଁ ନିଅନ୍ତି ମେଲାଣି ।
