ମାଟିର ସନ୍ତାନ
ମାଟିର ସନ୍ତାନ
କେତେ କହିଲେ ବି କଥା ସରେ ନାହିଁ
ଲେଖିଲେ ସରେନା ଗାଥା
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଏ ତ ଗୁଣି ଜନ ଗାଥା ।
ଭଲ ମନ୍ଦ ଯା'ର ହୃଦୟେ ବିଚାର
କେବେହେଁ କରିନି ବାସ
ତାଙ୍କୁ ଯେବେ ଆମେ ଉଚ୍ଚାସନ ଦେବା
ସମାଜରେ ବଢେ ତ୍ରାସ ।
ଗଙ୍ଗା ଜଳ ପରି ପବିତ୍ର ନହୁଅ
କିବା ଜ୍ୟୋସ୍ନା ପରି ଚାରୁ
ଅଳପ ସେନେହ ବାଣ୍ଟି ଦେଲେ ପରା
ପ୍ରାଣ ବଞ୍ଚେ ମରୁ ମରୁ ।
ଜନ୍ମଭୂମି ଆମ ଜନନୀର ସମ
ଯିଏ ତାକୁ ଦିଏ କଷ୍ଟ
ସିଏ କି କୁଶଳୀ ଜଗତରେ ହେବ
ତା ପାଇଁ ତ ସବୁ ନଷ୍ଟ ।
ତାହାର ଚରିତ୍ର ଐଶ୍ଵର୍ଯ୍ୟେ ସୀମିତ
ଭୋଗ ବିଳାସର ସଙ୍ଗେ
ଉତ୍ସୃଙ୍ଖଳତାର ଉତ୍ପୀଡକ ସାଜି
ଟାଣେ ବିନାଶର ଦିଗେ ।
ସାନ୍ତ୍ଵନା ଭାବନା ଯା ହୃଦୟେ ନାହିଁ
ତାକୁ ଦେଲେ ରାଜ୍ୟ ଭାର
ଅବତୀର୍ଣ୍ଣ ହେବେ କେତେ ଯେ ଅସୁର
କରିବାକୁ ନାରଖାର ।
ଆପଣା ଜ୍ଞାନର ମୂଳମନ୍ତ୍ର ବଳେ
ଯୁକ୍ତ କର ସହଯୋଗୀ
ଅଜ୍ଞାନ ଅତିଥି ପ୍ରବେଶ କରିଲେ
ଦୁଃଖ ହେବ ଚିର ସଙ୍ଗୀ ।
ମନରେ ଯାହାର ଦୟା କ୍ଷମା ନାହିଁ
ନୁହେଁ ସେ ଗୁଣିରେ ଗଣା
ସେ ସ୍ଥାନକୁ ଯଦି ବର୍ଜନ ନକର
ବୁଦ୍ଧି ହେବ ବାଟ ବଣା ।
