ମାଟିର ପ୍ରାର୍ଥନା
ମାଟିର ପ୍ରାର୍ଥନା
ଆକାଶର ବୁକୁସାରା
ଛାଇଗଲାଣି କଳାମେଘ,
ସାଇଁ ସାଇଁ ସମୀରଣ ଶୁଣାଇଲାଣି
ମାଟିର କାନେ ତା ଆବେଗ,
ଗଛମାନେ ବି ନାଚିଲେଣି
ମନେ ଭରି ନୂତନ ସରାଗ।
ଆଉ ଟିକିଏ ପରେ ଯେମିତି
ମାଟି ମଞ୍ଚ ଦୁଲୁକିବ,
ବିଜୁଳି ସାଙ୍ଗକୁ ଘଡଘଡିର ତାଳରେ
ସାଧବ ବୋହୂର ପାଦର ଛନ୍ଦରେ,
କଅଁଳ ପାଦର ଛମ ଛମ ନାଦରେ
ଆଷାଢି କନ୍ୟା ଆଜି ନାଚିବ।
ଦୀର୍ଘଦିନ ତପସ୍ୟା ପରେ
ଦଗ୍ଧ ପ୍ରାଣ ପ୍ରଶମିତ ହେବ।
ଆଷାଢର ପ୍ରଥମ ଛୁଆଁରେ
ପୁର ମହକି ଯାଇଛି,
ଯେତେ ଥିଲା ଉଷର ଭୂଇଁ
ସବୁ ବତୁରି ଯାଇଛି ।
ମାଟି ମାଆ ରଜସ୍ୱଳା ଜାଣି
ମାଟିର ମଣିଷ ମତୁଆଲା ହୋଇଛି।
ଫଳବତୀ ହେବ ବୋଲି
ଭଗ୍ନ ହୃଦେ ସ୍ୱପ୍ନର ରାଗିଣୀ
ଝଙ୍କୃତ ହେଉଛି।
ଟାଙ୍ଗରା ଭୂଇଁ ପଲ୍ଲବିତ ହେବ,
ଫୁଲ ଫଳରେ ମଞ୍ଚ ପୁରିବ,
ଏସନ ଭଲ ଫସଲ ଅମଳ ହେବ,
ଭୋକର ଭୂଗୋଳ
ସୁଖରେ ପ୍ଳାବିତ ହେବ।
ହେ ଆଷାଢି କନ୍ୟା
ନ ହୋଇ ବିଟପୀ ଅବା ଉଗ୍ର
ତୋ କାନ୍ତ କମନୀୟ ରୂପରେ
ପ୍ରେମର ଫଲ୍ଗୁରେ
ଭିଜାଇ ଦେ ସଂସାର ସମଗ୍ର।
ମାଟି ସହ ସମ୍ପର୍କ ତୋର
କେଉଁ ଅନାଦି କାଳର,
ତୋ ମମତାରେ ମାଟି ବତୁରିଲେ
ସକଳେ ହୁଅନ୍ତି ସ୍ୱପ୍ନରେ ବିଭୋର।
କେତେ ଆଶା କେତେ ବିଶ୍ୱାସ
ଶସ୍ୟ ଶ୍ୟାମଳାରେ ପୁରିବ ମୋ ଦେଶ,
ଲିଭିଯିବ ସବୁଦୁଃଖ,
ଦେଶ ଆଗକୁ ବଢିବ
ମେଣ୍ଟାଇ ଯେତେ ସବୁ ଭୋକ ଆଉ ଶୋଷ।
ହେ ମାଟିର ପ୍ରିୟତମା,
ତୁ ଆଉ ବନ୍ୟା ବାତ୍ୟା
ଆଣିବୁନି ଜମା,
ମାଟିର ପ୍ରାର୍ଥନା
"କେତେଦିନୁ ଭରସିଛି ତୋତେ
ରଖିବୁ ବାରେ ନକରି ଛଳନା।
ଆଷାଢେ ଆସିଛୁ ସତ,
ଶ୍ରାବଣ ନସରୁଣୁ
ଛାଡିବୁନି ଏ ମାଟିର ସୀମା ।"