ମାଟିର ମହକ
ମାଟିର ମହକ
ମୋ ଗାଁ ରୁ ସହର
ଅନେକ ବ୍ୟବଧାନ
ରୂପ ରଙ୍ଗ ପୁଣି ଚାହାଣୀରେ ,
ଅନେକ ଦୂରତ୍ବ
ଭାବ ଭାଷା ପୁଣି ଅନୁଭବ ରେ
ମାତ୍ର ,ମାଟିର ମହକ ଏଠି ସିକ୍ତ ଓ ମୁଗ୍ଧ
ଯୁଗ ଯୁଗର ସମ୍ପର୍କ
ଚକମକ ମାଟି ଅଗଣାରେ ।।
କେତେ ଅଡୁଆ ସୂତାରେ
ଝାଟି ମାଟିର ନଡା ଛପର ତଳେ
ନଭଶ୍ଚୁମ୍ବୀ ମନ୍ଦିର ର ସୃଷ୍ଟି ;
ମାଟିରୁ ଆକାଶ
ସବୁଲାଗେ ପାର୍ବଣ ପାର୍ବଣ
ସ୍ନେହ ସମ୍ପର୍କର ଅଲିଭା କାଳିରେ
ଲେଖାହୁଏ ଇତିହାସ
ଭାବନା ଓ ଆବେଗ ରେ ଭରପୁର
ପ୍ରତିଟି ମୁହୂର୍ତ୍ତ
ମୋ ଗାଁ ମୋ ମାଟି
ଲାଗେ ଯାହା ସ୍ବର୍ଗର ନିବାସ ।।
ମୋ ଗାଁ ନିହାତି ନିଆରା
ଏଠି ଫୁଲ ବି ନିଆରା ଫଳ ବି ନିଆରା
ନିଆରା ପୁଣି ଆକାଶର ରଙ୍ଗ
ପାଣି ,ପବନ, ଗଛ,ଲତା
ନୂଆ ଛନ୍ଦ ନୂଆ ସୁର
ସବୁ ନୂଆ ସତତ ସବୁଜ ।।
ଅନ୍ଧାର ଏଠି ଅତୀବ ବହଳ
ଜହ୍ନରାତି ଏକାନ୍ତ ନିଜର
ବହଳ ଅନ୍ଧାର ତଳେ କଥା କହେ
ଆକାଶର ମିଟିମିଟି ତାରା
ଛୋଟ ଲାଗେ ରାତିର ପ୍ରହର
ସ୍ପପ୍ନ ସେରନା
ନିଦ ବି ଭାଙ୍ଗେନା
ସାଇଁ ସାଇଁ ନୀରବତା ଚତୁର୍ଦିଗ
ନୁଆଁଣିଆ ଚାଳଘରେ
ଏକାଙ୍ଗ ସମ୍ରାଟ ଏ ସରଳ ନିଷ୍ପାପ ମଣିଷ ।।
ରାଗ,ଅନୁରାଗ, ବିଶ୍ବାସ,ଅବିଶ୍ବାସ
ଈର୍ଷା ଓ ଅବଶୋଷ ର ଛାଇ ଆଲୁଅରେ
ଜୀବନ ଜୀଇଁବା କୁ ହୁଏ
ସକାଳରୁ ସଂଜ
ଖୁନ୍ଦା ଖୁନ୍ଦି ମାନ ଅଭିମାନ
ଲହୁ ଲୁହ ସ୍ବେଦବିନ୍ଦୁ ଝରିପଡେ ଟପଟପ
ଭିଜିଯାଏ ମାଟି
ମହମହ ବାସେ ଅହର୍ନିଶ ।।
ସିକ୍ତ ମୋ ଗାଁ ଝରା ଶ୍ରାବଣର
ଝର ଝର ଶୀତଳ ବିନ୍ଦୁରେ
ଧୂ ଧୂ ଜଳୁଥାଏ ପ୍ରଚଣ୍ଡ ଝାଂଜିରେ
ପୁଣି ଝୁମୁଥାଏ କେତେବେଳେ
ବସନ୍ତର ପଂଚମ ତାନରେ
ଉଡୁଥାନ୍ତି ପ୍ରଜାପତି ଦଳ ଦଳ
ଡେଣାମେଲି ଫୁଲ ବଗିଚାରେ ।।
ଆଜି ବି ସତେଜ ମୋ ଷଠିଘର
ଆଜି ବି ଜୀବିତ ମୋ ଏନ୍ତୁଡିଶାଳ
କୁଆଁକୁଆଁ ଶବ୍ଦ ରେ ଆଜିବି ଚଳଚଂଚଳ
ମୋ ଗାଁ ଦାଣ୍ଡ ମାଟିର ଅଗଣା
ସରଳ ସମ୍ମୋହନରେ ଗରୀୟାନ
ବଣ, ବିଲ, ନଈ ଓ ପାହାଡ ।।
କୋଇଲିର କୁହୁକୁହୁ ଏବେ ବି
ଭାବପ୍ରବଣ କରେ ମୋତେ
ବନ୍ଧାପଡେ ମୋ ଅତୁଟ ବିଶ୍ବାସ
ଭିଜୁଥାଏ ମୁଁ ଅଷାଢର ପହିଲି ବର୍ଷାରେ
ଛୁଉଁଥାଏ ମୋ କୋମଳ ନିଶ୍ବାସ ଆଉ
ମନ-ପ୍ରାଣ-ଦେହ
ଭୂମିରୁ ଭୂମା କୁ
କେତେବେଳେ ମୋ ଜାଣତରେ
ଆଉ କେତେବେଳେ ମୋ ଅଜାଣତରେ ।।
