ମାଟି ମାଆ
ମାଟି ମାଆ
ଶସ୍ୟ ଶ୍ୟାମଳା ଶୋଭା ଅପରୂପା
ପୂଣ୍ୟଭୂମି ଏ ଓଡ଼ିଶା
ବିଶାଳ ତା' ବ୍ୟାପ୍ତି କେମିତି ବର୍ଣ୍ଣିବି
ମିଳୁ ନାହିଁ ମୋତେ ଭାଷା ।।
ଗଙ୍ଗା ଠାରୁ ଯାର ଗୋଦାବରୀ ଯାଏଁ
ଲମ୍ବିଅଛି କଳେବର
ଚିର ବନ୍ଦନୀୟ ଅଭିନନ୍ଦନୀୟ
ଆଜି ବିଶ୍ୱ ଦରଵାର ।।
ତିରିଶି ପାଖୁଡ଼ା ଓଡ଼ିଶା ଫୁଲକୁ
ଜିଲ୍ଲା ରୂପେ ଘେରିଛନ୍ତି
କେତେ ଗ୍ରାମ ବ୍ଲକ ସଵ୍ ଡିଭିଜନ
ସେ ଫୁଲେ ମହକ ଭରନ୍ତି ।।
ଓଡ଼ିଆଙ୍କ ପ୍ରିୟ ଆରାଧ୍ୟ ଦେବତା
ଦୟାମୟ ଜଗନ୍ନାଥ
ସାରା ଵିଶ୍ଵେ ଆଜି ପ୍ରସିଦ୍ଧ ଶ୍ରୀକ୍ଷେତ୍ର
ସେ ତ ଅନାଥଙ୍କ ନାଥ ।।
ନଦୀ ନାଳ ଗିରି ବନ କାନନରେ
ହସୁଥାଏ ଏହି ମାଟି
ସରଳ ନିରୀହ ଓଡ଼ିଆଙ୍କ ମନ
ଶରଧା ଦିଅନ୍ତି ଭେଟି ।।
କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହି
ଓଡ଼ିଶା ଯେ ଋଦ୍ଧିମନ୍ତ
ସଂସ୍କୃତି ଐତିହ୍ୟ ପ୍ରାଚୀନ କୀରତେ
ପୁଣି ସିଏ ସିଦ୍ଧିଵନ୍ତ ।।
ବାର ମାସେ ତେର ପରବ ପାଳନ୍ତି
ଆମ ଏ ଓଡ଼ିଶାବାସୀ
ପିଠାପଣା ଯାନି ଯାତରାରେ ସଦା
ମନାଇଥାନ୍ତି ଖୁସି ।।
ସାତବାରରେ ସେ ସାତଠାକୁରଙ୍କୁ
ପୂଜାର୍ଚ୍ଚନା କରିଥାନ୍ତି
ଭାଗବତ ଟୁଙ୍ଗୀ ଭଗତ ଘରେ ସେ
ହରିବୋଲ ଡାକଦ୍ୟନ୍ତି ।।
ରଜପର୍ବ ଆଉ କୁମାର ପୂର୍ଣ୍ଣିମା
ଦଶହରା ଦୋଳ ହୋଲି
ଓଡ଼ିଆଙ୍କ ମାଣବସା ନୂଆଖାଇ
ରଥଯାତ୍ରା ବୁଲାବୁଲି ।।
ମାଟି ସଙ୍ଗେ ମାଟି ହୋଇ ଲାଗି ପୁଣି
ଫସଲ ଫଳାଏ ଚଷା
ବଡ଼ିଚୁରା ସାଥେ ଲେଉଟିଆ ଶାଗ
ଆହା ସେ ପଖାଳ କଂସା ।।
ଯୌଥ ପରିବାର ଶିକ୍ଷା ଦେଇଥାଏ
ଏକତା ଓ ସହଯୋଗ
ଜଣଙ୍କ ବିପଦେ ଜଣେ ଠିଆ ହୁଏ
ଏ ଯେ ଓଡ଼ିଆଙ୍କ ଢ଼ଙ୍ଗ ।।
ଓଡ଼ିଆଣୀ ବୋହୂ ସଜେଇ ତ ହୁଏ
ଶାଢ଼ୀ ଶଙ୍ଖା ସିନ୍ଦୂରରେ
ଓଡ଼ିଶାର ପୁଅ ଵେଶ ପକାଏ ତ
ଧୋତି ଆଉ ପଞ୍ଜାବୀରେ ।।
ଓଡ଼ିଶୀ ସଙ୍ଗୀତ ଓଡ଼ିଶୀ ନୃତ୍ୟର
ନାହିଁ ଏଠି ପଟାନ୍ତର
ପଟ୍ଟଚିତ୍ର ଆଉ ଚାନ୍ଦୁଆ କାମର
ଦେଶ ବିଦେଶେ ଆଦର ।।
ଭାରି ଆଦର ଯେ ବାହାର ମୂଲକେ
ସମ୍ବଲପୁରୀ ଶାଢ଼ୀର
କେଉଁଠି ପୁଣି ତ ବ୍ରହ୍ମପୁରୀ ପାଟ
ଚାହିଦା ସୋନପୁରୀର ।।
ଗୋପବନ୍ଧୁ ସୁଦର୍ଶନ ଶିଳ୍ପୀ ଆଉ
ଦୂତୀ ଶ୍ରାବଣୀଙ୍କ ମାଟି
ପଦ୍ମିନୀ ରାଉତ ଅନନ୍ୟାଙ୍କ ଲାଗି
ଗର୍ବିତ ଓଡ଼ିଶା ନାଆଁଟି ।।
ପୁରୀ କୋଣାରକ ଭୁବନେଶ୍ୱର ଯେ
ସ୍ଵର୍ଣ୍ଣ ତିରିଭୁଜ ଅଟେ
ରାଜଧାନୀ ଆମ ସ୍ମାର୍ଟ ସିଟି ବୋଲି
ଡେଙ୍ଗୁରା ବାଡ଼େଇ ପିଟେ ।।
ଶ୍ରୀ ବାଣୀ ବ୍ୟାସ ଭଞ୍ଜ ଜ୍ୟୋତି
ପୁଣି ସାଥେ କୃଷିଵିହାର
ମିଳିମିଶି ସର୍ଵେ ଉତ୍କଳେ କରନ୍ତି
ଜ୍ଞାନାଲୋକର ପ୍ରସାର ।।
ମହାନଦୀ ବୈତରଣୀ ସାଙ୍ଗେ ପୁଣି
ଦେଓମାଳୀ ମେଘାସନ
ଚିଲିକା ଅଂଶୁପା ଡୁଡୁମା ଘାଗରା
ଅଟେ କେନ୍ଦ୍ର ପର୍ଯ୍ୟଟନ ।।
ଖଣ୍ଡଗିରି ରତ୍ନଗିରି ଧଉଳି ଯେ
ଖିଚିଂ ନନ୍ଦନକାନନ
ସପ୍ତଶଯ୍ୟା ଠାରୁ ହରିଶଙ୍କର ଯେ
ଅଟେ ଦର୍ଶନୀୟ ସ୍ଥାନ ।।
ଏତେ ସୁଖ ମଧ୍ୟେ ଟିକିଏ ତ ଦୁଃଖ
କହିବାକୁ ଲାଗେ ଲାଜ
କେଉଁ ଶିଶୁ ମରେ ଜାପାନୀ ଜ୍ଵରେ ତ
କା'ର ନଗଡାରେ ଶେଷ ଶେଯ ।।
କେଉଁଠି କେଜାଣି ଚଳଣିରେ ଆମ
ତ୍ରୁଟି ବୋଧେ ରହିଯାଏ
ଧିରେ ଧିରେ ମନ ରାମରାଜ୍ୟ ଛାଡ଼ି
ରାଭଣରାଇଜେ ଧାଏଁ ।।
ପ୍ରଗତି ନାମରେ ଅଧୋଗତି ହୋଇ
ନୈତିକ ସ୍ଖଳନ ଘଟେ
ସଂସ୍କାର ରଥକୁ ଅପସଂସ୍କୃତି ଯେ
ଟାଣି ନିଏ ଭୂଲ୍ ବାଟେ ।।
ଉତ୍କଳର ପ୍ରିୟ ସନ୍ତାନ ସନ୍ତତି
ଆସ ସର୍ବେ ଜାଗି ଉଠ
ଅନ୍ୟାୟ ଅନୀତି ଦୁର୍ନୀତି ହଟାଇ
ଖୋଜିବା ଶାନ୍ତିର ବାଟ ।।
ସିନ୍ଧୁରୁ ଵିନ୍ଦୁଏ କୃପା କର ଜଗା
ନ କରି ଯେ ମନ ଊଣା
ତୋ ' ବିନୁ ଓଡ଼ିଆ ସତ୍ତା ହଜିଯିବ
ନ ମିଳିଲେ ତୋ ' କରୁଣା ।।
