ମାତୃଭାଷା
ମାତୃଭାଷା
ବିଚ୍ଛନ୍ନାଞ୍ଚଳର ଓଡ଼ିଆଙ୍କ ଦୁଃଖ
କହିଲେ ନାହିଁରେ ସରେ
ଯେଉଁ ଭୂମି ଥିଲା ଉତ୍କଳର ଦିନେ
ଝାଡ଼ଖଣ୍ଡ ଅଧିନରେ।
ଶିକ୍ଷା ମାତୃଭାଷା ପାଇଁ ଆର୍ତ୍ତନାଦ
ଓଡ଼ିଆ କରନ୍ତି ନିତ୍ୟେ
ଧ୍ୟାନ ପଡେ ନାହିଁ କାହାରି ହିଁ ଏଠି
କରନ୍ତି ରୋଦନ ଆର୍ତ୍ତେ।
ମାତୃଭାଷା ଶିକ୍ଷା ପାଇଁ ଆନ୍ଦୋଳନ
ଶିକ୍ଷା ଓଡ଼ିଆରେ ମିଳୁ
ଓଡ଼ିଆର ବହି ମିଳୁ ଓଡ଼ିଆଙ୍କୁ
ଓଡ଼ିଆ ଶିକ୍ଷକ ମିଳୁ।
ପରା ମାତୃଭାଷା ଜୀବନେ ସର୍ବୋଚ୍ଚ
ଜୀବନେ ରତନ ଏହୁ
ଭାଷାର ଚନ୍ଦନ ବଦନେ ବଳିବା
ଭାଷାର ଆଦର ରହୁ।
ଯା ଭାଷା ଦୁର୍ବଳ ନାହିଁ ତାର ଜ୍ଞାନ
ନହୁଏ ସମ୍ମାନ ତାର
ସେ କାହୁଁ ବୁଝିବ ମାନ ଅପମାନ
ଭାଷାପ୍ରେମ ନାହିଁ ଯାର।
ଉଚ୍ଚ ହେବା ପାଇଁ ଯଦି ମନେ ଇଚ୍ଛା
କର ଉଚ୍ଚ ମାତୃଭାଷା
ମାତୃଭାଷା ପରା ଜ୍ଞାନ ସୂତ୍ରଧାର
ହେଉ ଉଚ୍ଚ ଅଭିଳାଷା।
ଜାଗ୍ରତ ହୁଅହେ ଓଡ଼ିଆ ଭାଇ ମୋ
ନିଦ୍ରା ତେଜି ଶୀଘ୍ର ଉଠ
କର ଆଲିଙ୍ଗନ ମାତୃଭାଷା ଶିକ୍ଷା
ଭାଷା ଶିକ୍ଷା ପାଇଁ ଉଠ।
ମନୁଷ୍ୟ ଜୀବନ ନାହିଁ ଭାଇ ମୋର
ବର୍ଷ ମାସ ଦିନ ଦଣ୍ଡ
କର୍ମର ନିମନ୍ତେ ଏ ଜୀବନ ପରା
ଜୀବନର ମାନଦଣ୍ଡ।
ଆମ ମାତୃଭାଷା ପୌରାଣିକ ଭାଷା
ବିଦ୍ୟମାନ ଧରାଧାମେ
ଆଦର ନକରି କିମ୍ପା ତିରସ୍କାର?
ସଂସ୍କୃତି ଓଡ଼ିଆ ଧାମେ।
ନୀଳଚକ୍ର ବାନା ପୁରୀ କ୍ଷେତ୍ରେ ଯାର
ଉଡୁ ଅଛି ଅନୁକ୍ଷଣ
ଜଗତର ବନ୍ଧୁ ପ୍ରଭୁ ଜଗବନ୍ଧୁ
ଜଗା ଭକ୍ତି ଅନୁକ୍ଷଣ।
ଉତ୍କଳ ଭୂଇଁର ପ୍ରଭୁ ଜଗନ୍ନାଥ
ଓଡ଼ିଆ ଠାକୁର ପରା
ଏ ଭୂଇଁର ଭାଷା ଓଡ଼ିଆ ଭାଷାରେ
ସମ୍ମାନ ନକରୁ ପରା।
ଓଡ଼ିଆ ଭାଷାକୁ କରି ତିରସ୍କାର
ଅନ୍ୟ ଭାଷା ପଛେ ତୁହି
ଲଜ୍ଜିତ କରୁଛୁ ଓଡ଼ିଆ ସମ୍ମାନେ
କିପରି ଓଡ଼ିଆ ତୁହି।
ଓଡ଼ିଆ ଗୌରବ ଓଡ଼ିଆ ବୀରତ୍ବ
ଜାଣି ନାହୁଁ କିରେ ତୁହି
ସର୍ବୋପରି ଯାର ପୂର୍ବ ଇତିହାସ
ପଢି ନାହୁଁ କିରେ ତୁହି।
ଜାଣି ନାହୁଁ କିରେ ଓଡ଼ିଆ ସଂସ୍କୃତି
ଧରାଧାମେ ଆଦି କାଳୁ
କରୁ ତିରସ୍କାର ଓଡ଼ିଆ ଭାଷାକୁ
ଜନ୍ମି ଓଡ଼ିଆର କୋଳୁ।
ଓଡ଼ିଆ ଜନନୀ ଗର୍ଭରେ ସଞ୍ଚାର
ଦେଖିଲୁ ଓଡ଼ିଆ ଭୁଇଁ
ବାଲ୍ୟ କାଳୁ ତୁହି କହିଲୁ ଓଡ଼ିଆ
ଏହୁତ ଠାକୁର ଭୁଇଁ।
ଠାକୁର ସଂସ୍କୃତି ଦେଲୁ ତିଳାଞ୍ଜଳି
କରୁ ଅନ୍ୟ ଭାଷା ପ୍ରେମ
ଓଡ଼ିଆ ଗୌରବ ଭୁଲି କିମ୍ପା ତୁରେ?
ଭାଷା ଅଂଗ୍ରେଜୀରେ ପ୍ରେମ।
ଓଡ଼ିଆ ଭାଇ ମୋ ଓଡ଼ିଆ ତୁହିରେ
କର ମାତୃଭାଷା ପ୍ରେମ
ତେବେରେ ସମ୍ମାନ ଓଡ଼ିଆ ଗୌରବ
ଥିବ ଯେବେ ଭାଷା ପ୍ରେମ।
